ସରକାରୀ କର୍ମଚାରୀଙ୍କ ପରକୀୟା ପ୍ରିତୀ — ରାସ୍ତାରେ ଗଡ଼ାଗଡ଼ି ହେଲେ ପ୍ରେମିକ ପ୍ରେମିକା

କେନ୍ଦ୍ରାପଡ଼ା, ୨୬/୯/୨୦୨୪ (ଓଡ଼ିଶା ସମାଚାର)- ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଦୁଇ ସରକାରୀ କର୍ମଚାରୀଙ୍କ ପରକୀୟା ପ୍ରିତୀ ଦାଣ୍ଡରେ ପଡି ଗଡଗଡାଉଛି । ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଉଭୟ କର୍ମଚାରୀ ବିବାହିତ । ଦୀର୍ଘ ଦୁଇବର୍ଷ ଧରି ଉଭୟଙ୍କ ମଧ୍ୟରେ ଏହି ଗୋପନ ପ୍ରେମପିରତି ଚାଲିଥିଲା । କିନ୍ତୁ କିଛିମାସ ହେବ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଯାଇଛି । ଫଳରେ ମହିଳା ବନ୍ଧୁ ଜଣକ ପୁରୁଷ ବନ୍ଧୁଙ୍କ ସହ ସଂପର୍କ କାଟିଦେବାକୁ ମନସ୍ତ କରିଥିଲେ । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ପୁରୁଷ ବନ୍ଧୁ ଜଣଙ୍କ । ତେଣୁ ଉଭୟଙ୍କ ମଧ୍ୟରେ ବଚସା ହୋଇ ଫାଟ ସୃଷ୍ଟି ହୋଇଥିଲା । ଗୁରୁବାର କୌଣସି କାରଣକୁ ନେଇ ଉଭୟ ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ଫଳରେ କି ମହିଳା ବନ୍ଧୁଙ୍କୁ ପାନେ ଦେବାକୁ ଯୋଜନା କରିଥିଲେ ପୁରୁଷ ବନ୍ଧୁ ଜଣଙ୍କ । ପୁରୁଷ ବନ୍ଧୁ ଜଣକ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ମହିଳା ଜଣକ ତହସିଲରେ ରେକର୍ଡ କିପର ଭାବେ କାର୍ଯ୍ୟ କରୁଛନ୍ତି । ଗୁରୁବାର ସନ୍ଧ୍ୟାରେ ଅଫିସ କାର୍ଯ୍ୟ ସାରି ମହିଳା ଜଣକ ସ୍କୁଟିରେ ଘରକୁ ଫେରୁଥିଲେ । କିନ୍ତୁ ତହସିଲ କାର୍ଯ୍ୟାଳୟ ନିକଟରୁ ପୁରୁଷ ବନ୍ଧୁ ଜଣକ ତାଙ୍କୁ ଅନୁସରଣ କରିଥିଲେ । ଗୁଲନଗର ଦଣ୍ଡାମୁଣ୍ଡ ଛକ ନିକଟରେ ପୁରୁଷ ବନ୍ଧୁ ଜଣକ ମହିଳାଙ୍କ ସ୍କୁଟିକୁ ସାଇଡ ମାରିଥିଲେ । ଫଳରେ ମହିଳା ଜଣକ ତଳେ ପଡି ଯାଇଥିଲେ । ଏହାପରେ ଉଭୟ ରାସ୍ତାରେ ଗଡ଼ାଗଡ଼ି ହୋଇଥିଲେ । ସ୍ଥାନୀୟ ଲୋକମାନେ ଏଥିରେ ହସ୍ତକ୍ଷେପ କରି ପୁରୁଷ ବନ୍ଧୁଙ୍କୁ ବହେ ଛେଚିଲେ । ଖବର ପାଇ ତହସିଲଦାର ଘଟଣା ସ୍ଥଳରେ ପହଂଚିଥିଲେ । ଉଭୟ ତାଙ୍କୁ ଅଭିଯୋଗ କରିବାକୁ ଉଦ୍ୟମ କରିବାରେ କାର୍ଯ୍ୟାଳୟ କଥା ପଦାରେ ପଡିଯିବା ଭୟରେ ଆହତ ମହିଳା କର୍ମଚାରୀ ଜଣଙ୍କୁ ତହସିଲଦାର ଏକ ଘରୋଇ ନର୍ସିଂହୋମକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ଚିକିତ୍ସା ପରେ ମହିଳା କର୍ମଚାରୀ ଜଣଙ୍କ ଘରକୁ ଫେରିଥିଲେ । ସୂଚନା ଅନୁଯାଇ ଉଭୟଙ୍କ ମଧ୍ୟରେ ୪ ମାସ ତଳେ ବଚସା ହୋଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ମାମଲା ସଦର ଥାନାକୁ ଯାଇଥିଲା । ସେଠାରେ ମଧ୍ୟ ତହସିଲଦାର ହସ୍ତକ୍ଷେପ କରିଥିଲେ । ଫଳରେ ଉଭୟ ପୁରୁଷ ଓ ମହିଳା ବନ୍ଧୁ ଥାନାରେ ଅଣ୍ଡରଟେକିଂ ଲେଖି ଘରକୁ ଫେରିଥିଲେ । ସେହିଦିନ ଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ତାହା ଗୁରୁବାର ଉଗ୍ରରୂପ ନେଇଥିଲା ।

Leave a Reply

Your email address will not be published. Required fields are marked *