ପର୍ଯ୍ୟଟନ ବିଭାଗର କାର୍ଯ୍ୟଧାରାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

ଗ୍ରାମାଞ୍ଚଳରେ ସାଂସ୍କୃତିକ-ଐତିହାସିକ ଗୌରବ ବହନ କରୁଥିବା ସ୍ଥାନଗୁଡ଼ିକୁ  ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ଉପରେ  ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୨୦/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପର୍ଯ୍ୟଟନ ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି । ଆଜି ପର୍ଯ୍ୟଟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ବିଭାଗର ବିଭିନ୍ନ ରୂପରେଖ ଓ କାର୍ଯ୍ୟଧାରା ସଂପର୍କରେ ବରିଷ୍ଠ ଅଧିକାରୀମାନେ ଶ୍ରୀମତୀ ପରିଡ଼ାକୁ ଅବଗତ କରାଇଥିଲେ । ବୈଠକ ପ୍ରାରମ୍ଭରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏବଂ ବରିଷ୍ଠ ଅଧିକାରୀମାନେ ଶ୍ରୀମତୀ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ ଓ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଜାରି ରହିଥିବା ସ୍ୱତନ୍ତ୍ର ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଯୋଜନା ସଂପର୍କରେ ଅଧିକାରୀମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏଥି ସହ କେନ୍ଦ୍ରୀୟ ଯୋଜନାରେ ପରିଚାଳିତ ପ୍ରସାଦ ଏବଂ ସ୍ୱଦେଶ ଦର୍ଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପକୁ ଶ୍ରୀମତୀ ପରିଡ଼ା ସମୀକ୍ଷା କରିବା ସହ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

          କର୍ମଚାରୀ ଓ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ସହ ଗାଇଡ଼୍‌ ଏବଂ ପର୍ଯ୍ୟଟନ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗୁରୁତ୍ୱାରୋପ କରିଥିଲେ । ଏଥି ସହ ଓଡ଼ିଆ ଖାଦ୍ୟ ପରମ୍ପରାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳିତ ବିଭିନ୍ନ ଆଉଟ୍‌ଲେଟ୍‌ରେ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ନୂତନ ସ୍ଥାନକୁ ଯୋଡ଼ିବା, ଅବହେଳିତ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ସାଂସ୍କୃତିକ-ଐତିହାସିକ ଗୌରବ ବହନ କରୁଥିବା ସ୍ଥାନଗୁଡ଼ିକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନାର ଅଭିବୃଦ୍ଧି କରି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ଏପରିକି  ପର୍ଯ୍ୟଟନ ବିଭାଗ ସହ ଜଡ଼ିତ ଅଂଶୀଦାରମାନଙ୍କୁ ପ୍ରୋତ୍ସାହନ ଦେବାକୁ ସେ କହିଥିଲେ ।

          ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ ଓ ଅନନ୍ତ ନାରାୟଣ ସିଂ ଲାଗୁରୀ, ଯୁଗ୍ମ ଶାସନ ସଚିବ ସରୋଜ କୁମାର ସ୍ୱାଇଁ, ବିତ୍ତ ପରାମର୍ଶଦାତା ରାଜକିଶୋର ପଲେଇ, ଓଟିଡିସିର ସାଧାରଣ ପରିଚାଳକ ଡ. ଲଲାଟେନ୍ଦୁ ସାହୁ, ଅତିରିକ୍ତ ନିର୍ଦ୍ଦେଶକ ବିଶ୍ୱଜିତ ରାଉତରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *