ଯାଜପୁର, ୨୩/୯/୨୦୨୪ (ଓଡ଼ିଶା ସମାଚାର)-ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଦଶରଥପୁର ବ୍ଳକ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନଙ୍କୁ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଆଜି ମୋଟ ୧୧୫ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୧ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୪ ଟି, ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ସହାୟତା ନିମନ୍ତେ ୨୭ ଗୋଟି, ରେଡକ୍ରସ ପାଣ୍ଠି ରୁ ସହାୟତା ନିମନ୍ତେ ୧୩ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୪୨ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା,ଜ଼ିଲ୍ଲା ପରିଷଦ ର ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ,ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦଶରଥପୁର ଶ୍ରୀ ଆକାଶ କୁମାର ପଟ୍ଟନାୟକ, ତହସିଲଦାର, ଦଶରଥପୁର ଶ୍ରୀ ବିକ୍ରମ କିଶୋର ପରିଡା ,ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।ଜନ ଅଭିଯୋଗ ପ୍ରାରମ୍ଭରେ ଜିଲ୍ଲାପାଳ ବ୍ଲକ ପରିସରରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କୁ ସ୍ୱଚ୍ଛତା ହିଁ ସେବା ଶପଥ ପାଠ କରାଇଥିଲେ।ବ୍ଲକ ପରିସରରେ ଏକ ପେଡ ମା କେ ନାମ ଅଭିଯାନ ଅନ୍ତର୍ଗତ ଜିଲ୍ଲାପାଳ ଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା।ଦଶରଥପୁର ବ୍ଲକ ର ଦୁଇଜଣ ଭିନ୍ନକ୍ଷମ ପାଲଟପୁର ଗ୍ରାମର ପିଙ୍କି ମଲ୍ଲିକ ଓ ତଳିହା ଗ୍ରାମର ସରସ୍ବତୀ ପୃଷ୍ଟି ଙ୍କୁ ଜିଲ୍ଲାପାଳ ହୁଇଲ ଚେୟାର ପ୍ରଦାନ କରିଥିଲେ ।