ନର୍ଦ୍ଦମା ପାଣୀକୁ ନେଇ ଅତିଷ୍ଠ କଲୋନୀ ବାସିନ୍ଦା, ସମସ୍ୟା ଘେରରେ ଶିବଶକ୍ତି କଲୋନୀ

ନିମାପଡା, ୨୨/୯/୨୦୨୪ (ଓଡ଼ିଶା ସମାଚାର)-ନିମାପଡା ଏନଏସି ଅଧୀନ ୯ ନମ୍ବର ୱାର୍ଡ ଅନ୍ତର୍ଗତ ଶିବଶକ୍ତି କଲୋନୀ ସମସ୍ୟା ଘେରରେ ରହିଛି l ଦ୍ବୀପ ତଳ ଅନ୍ଧାର ଭଳି କଲୋନୀଟି ଏନଏସିର ପ୍ରମୁଖ ସ୍ଥାନରେ ରହିଥିଲେ ମଧ୍ୟ ସଦାସର୍ବଦା ପୌର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି l ମୁଖ୍ୟ ସମସ୍ୟା ହେଉଛି  ଗମନାଗମନ l ଦୀର୍ଘ   ୪0 ବର୍ଷ ଧରି ଏହି ସମସ୍ୟା ଲାଗିରହିଛି l ଅସରାଏ ବର୍ଷା ହୋଇଗଲେ କଥା ସରିଲା l କଲୋନୀ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହୁଛି l ଆଜିପର୍ଯ୍ୟନ୍ତ କଲୋନୀ ଭିତରେ ଡ୍ରେନେଜ ବ୍ୟବସ୍ଥା ହୋଇ ପାରିନାହିଁ l ଫଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଜମିରହୁଛି l ଖାଲି ବର୍ଷା ବେଳେ ନୁହେଁ ଅନ୍ୟଦିନ ମାନଙ୍କରେ ପ୍ରତି ଘରୁ ନିର୍ଗତ ନର୍ଦ୍ଦମା ପାଣି ନିସ୍କାସନ ହୋଇ ନପାରି ଜମିରହୁଛି l ଫଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି l ରାଜ୍ୟରେ ମ୍ୟାଲେରିଆ,ଡେଙ୍ଗୁ ଏବଂ ଜଣ୍ଡିସ ଜ୍ୱରକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଛି l ତଥାପି ନିମାପଡା ପୌର ପ୍ରଶାସନ କିଛି ଶିକ୍ଷାଲାଭ କରି ନଥିବା  ହାବଭାବରୁ ଜଣାପଡୁଛି l କଲୋନୀ ମଧ୍ୟରେ ନର୍ଦ୍ଦମା ପାଣି ଜମିରହିବା ଫଳରେ ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି l ଯାତାୟାତ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି l ସନ୍ଧ୍ୟl ଓ ରାତି କଥା ଛାଡ଼ ଦିନରେ ମଶାଙ୍କ ପ୍ରାଦୁର୍ଭାବ ଯୋଗୁଁ ଘରେ ରହିବା ଅସମ୍ଭବ ହୋଇପଡୁଛି l ନାକରେ ରୁମାଲ ନଦେଲେ ଯାତାୟାତ କରିବାରେ ସମସ୍ୟା ସୃଷ୍ଟି ହେଉଛି l କଲୋନୀ ବାସୀ ମୁଖ୍ୟ ରାସ୍ତା ବଦଳରେ ଅନ୍ୟଏକ ଆପ୍ରୋଚ ରାସ୍ତାକୁ ବ୍ୟବାହାର କରୁଛନ୍ତି l ପୌରପ୍ରଶାସନ ଓ ବିଧାୟକଙ୍କ ନିକଟରେ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରିକରି ନିରାଶ ହୋଇ ପଡିଲେଣି କଲୋନୀବାସୀ l  ନିକଟ ଭବିଷ୍ୟତରେ ଯଦି ସମସ୍ୟାର ସମାଧାନ ନହୁଏ,ତାହେଲେ ଏନଏସି କାର୍ଯ୍ୟାଳୟ ସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିମାପଡା ସ୍ଥିତ ବାସଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି କଲୋନୀ ବାସିନ୍ଦା  ଯୋଗେନ୍ଦ୍ର ସାହୁ, ଭବାନୀ ଶଙ୍କର ନନ୍ଦ ଓ ଦୀନବନ୍ଧୁ ମଲ୍ଲିକ କହିଛନ୍ତି l   ସମସ୍ୟାକୁ ସ୍ୱୀକାର କରିଛନ୍ତି କାଉନସିଲର  l  ବର୍ତମାନ ନିମାପଡା ଏନଏସିରେ ରାଜନୈତିକ ଲୁଚକାଳୀ ଖେଳ ଚାଲିଥିବାରୁ ଶିବଶକ୍ତି କଲୋନୀର ସମସ୍ୟା ସମାଧାନ ହେବାରେ ବିଳମ୍ବ ହେଉଛି, ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶାରଖିଛନ୍ତି କାଉନସିଲର ଶ୍ରୀମତୀ ଟିକିନା ପଣ୍ଡା l  ବର୍ତମାନ ନିମାପଡା ମୁଖ୍ୟରାସ୍ତା ଦୋହରୀକରଣ କାର୍ଯ୍ୟଚାଲୁରହିଛି, ସେଥିପାଇଁ କଲୋନୀବାସୀଙ୍କ ସମସ୍ୟା ସମାଧାନରେ ବିଳମ୍ବ ହେଉଛି ବୋଲି ପୌର ନିର୍ବାହୀ ଅଧିକାରୀ ସରୋଜ ଆଚାର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି l ଦେଖିବାକୁ ବାକି ରହିଲା କେବେ ସମାଧାନ ହେଉଛି କଲୋନୀ ବାସିଙ୍କ ସମସ୍ୟା l

Leave a Reply

Your email address will not be published. Required fields are marked *