ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

କେନ୍ଦ୍ରାପଡ଼ା,୧୬/୯/୨୦୨୪ (ଓଡ଼ିଶା ସମାଚାର)- ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା କେନ୍ଦ୍ରାପଡା ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତି ଉପସଭାପତି ଫକିର ମୋହନ ଦାସଙ୍କର ୧୦୧ବର୍ଷ ବୟସରେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଅପରାହ୍ନ ୩ଟା ୧୮ମିନିଟରେ ଦେହାନ୍ତ ହୋଇଯାଇଛି । ପୂର୍ବରୁ ସ୍ୱର୍ଗତ ଦାସ ମୁତ୍ର ସଂକ୍ରମଣ ଜନିତ ରୋଗରେ ପିଡିତ ଥାଇ କଟକ ବଡ ଡାକ୍ତରଖାନାରେ ଚକିତ୍ସିିତ ହେଉଥିଲେ । ଦେହ ଭଲ ହେବା ପରେ ଗ୍ରାମକୁ ଆସି ସେ ରହୁଥିଲେ । ଆଜି ହଠାତ ତାଙ୍କର ଝାଡାବାନ୍ତି ହେବା ସହିତ ସେ ସଂଜ୍ଞାହୀନ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସଂଗ୍ରାମୀ ସ୍ୱର୍ଗତ ଦାସ ହେଉଛନ୍ତି କେନ୍ଦ୍ରାପଡା ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମର ଅଧିବାସୀ । ଖବରପାଇ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଡେରାବିଶ ବିଡିଓ ଦାଶରଥୀ ଜେନା, ଡେରାବିଶ ତହସିଲଦାର ପ୍ରଜ୍ଞାପରମିତା ପୃଷ୍ଟି, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଯୁବନେତା ରାଜେଶ ପଣ୍ଡା ପ୍ରମୁଖ ଡାକ୍ତରଖାନାରେ ପହଂଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ଗ୍ରାମକୁ ନିଆଯାଇଥିଲା । ସେଠାରେ ଗ୍ରାମବାସୀଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ପଦ୍ମନାଭ ମୁଖାଗ୍ନୀ ଦେଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ସ୍ୱର୍ଗତ ଦାସଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *