ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୂତି ବୈଠକ

ଭୁବନେଶ୍ୱର,୦୩/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ଅଡିଟରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୩ ଓ ୧୪ ତାରିଖରେ ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଆୟୋଜନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଯାଇଛି । ବୈଠକ ପ୍ରାରମ୍ଭରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଆୟୋଜନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

ଆସନ୍ତା ୧୩ ତାରିଖରେ ପ୍ରାତଃ ସମୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରଦର୍ଶନାତ୍ମକ ପ୍ୟାରେଡ୍‌ର ଆୟୋଜନ କରାଯିବ । ଏଥି ସହ ମଶାଲ ଶୋଭାଯାତ୍ରା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପ୍ରଦକ୍ଷିଣ କରିବ । ଏହି ଦୁଇଦିନ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ସହ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯିବ ।

ଏହି ଦୁଇ ସନ୍ଧ୍ୟାରେ ବିିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହେବ । ପ୍ରତ୍ୟେକ ସରକାରୀ କୋଠାକୁ ଆଲୋକସଜ୍ଜା କରାଯିବ । ଉକ୍ତ ବୈଠକରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପ ସଭାପତି ଶ୍ରୀ ପ୍ରଦୁ୍ୟମ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ ଶ୍ରୀ ସନତ ମିଶ୍ର ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

ବିଏମ୍‌ସିର ଅତିରିକ୍ତ କମିଶନର ସ୍ମୃତି ସ୍ୱାଇଁ, ଭୁବନେଶ୍ୱର ବ୍ଲକ୍‌ ଶିକ୍ଷା ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ରାଉତ, କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟସୁନ୍ଦର ଦାଶ, ଏସକେ ଅବଦୁଲ୍ଲା ଜନାବ,ଅଲମ୍ପିଆନ୍‌ ଦୂତି ଚାନ୍ଦଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *