ଗୋପୀନାଥ ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

ପୁରୀ/ ଗଡ଼ିସଗୋଦା ୧୫/୯/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟର ପ୍ରତିଷ୍ଠିତ ବିଦ୍ୟାଳୟ ତଥା ମଣିଷ ତିଆରି କାରଖାନା ରୂପେ ପରିଚିତ ପୁରୀଜିଲ୍ଲା ଅନ୍ତର୍ଗତ “ଗୋପୀନାଥ ଉଚ୍ଚ ବିଦ୍ୟାଳୟ “ର ହିରକ ଜୟନ୍ତୀ ପୂର୍ଵ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଥମ ବିଦ୍ୟାର୍ଥୀ ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଭାକର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଉକ୍ତ ବୈଠକରେ ମେଧାବୀ ଛାତ୍ରଙ୍କ ସହିତ  ପ୍ରାକ୍ତନ ଛାତ୍ର ସଂସଦର ସଭାପତି ତଥା ଓଡିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଏବଂ ଓଡିଆ ଅସ୍ମିତା ଜାଗରଣ ଅଭିଯାନର ଅଧ୍ୟକ୍ଷ, ବାଗ୍ନୀ, ଦୈନିକ ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ସ୍ଵକୀୟ ଅଭିମତ ପ୍ରଦାନ କରି କହିଥିଲେ ଯେ “ଗୋପୀନାଥ ଉଚ୍ଚ ବିଦ୍ୟାଳୟ,ଏମିତି ଏକ ନାମ ଯାହାର ଉଚ୍ଚାରଣରେ ମନରେ ଖେଳିଯାଏ ଶିହରଣ। ଜ୍ଞାନ ଓ ସାଧନାର ତପୋଭୂମି , ଏକ ଉତ୍ତମ ମଣିଷ ଗଢା କାରଖାନା ,ଶିକ୍ଷା ଓ ତପସ୍ୟାର ପ୍ରାଣକେନ୍ଦ୍ର।  କୃତଜ୍ଞତା ଜ୍ଞାପନ ପୂର୍ବକ ଏହି ଅନୁଷ୍ଠାନର ହୀରକ ଜୟନ୍ତୀ ପାଳନ କରିବା ଅବସରରେ ଦିବଙ୍ଗତ ଗୁରୁ ମହାତ୍ମା ମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା,  ଶୈକ୍ଷିକ ସେବା ନିବୃତ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କ ପାଦ ବନ୍ଦନା, କୃତି ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା, ମେଧାବୀ ପ୍ରୋତ୍ସାହନ, ଅନାଲୋଚିତ ପ୍ରତିଭା ମାନଙ୍କ ପ୍ରତିଭାର ସାମାଜିକୀକରଣରେ ସୀମିତ ନରଖି ଏହାକୁ ଏକ ଆଦର୍ଶ ଆହରଣୀୟ କାର୍ଯ୍ୟକ୍ରମରେ ରୂପାୟିତ କରିବା ହିଁ ପ୍ରତ୍ୟେକ ପ୍ରାକ୍ତନ ବିଦ୍ୟାର୍ଥୀ ଙ୍କ ପରମ ଓ ଚରମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ. ।   ପ୍ରାକ୍ତନ ଛାତ୍ର, ସୁବର୍ଣ୍ଣ ଜୟନ୍ତୀ କମିଟିର ସମ୍ପାଦକ ତଥା ବରିଷ୍ଠ ଅଧିବକ୍ତା ଚକ୍ରଧର ପ୍ରଧାନ ହୀରକ ଜୟନ୍ତୀ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରି, ତାହା ଉପସ୍ଥାପନ କରିଥିଲେ ।  ପ୍ରାକ୍ତନ ଛାତ୍ର, ଇଂରାଜୀ ଭାଷା ସାହିତ୍ୟର ମହାନ କାଣ୍ଡାରୀ କବି ପ୍ରାଚାର୍ଯ୍ୟ ଗଙ୍ଗାଧର ପ୍ରଧାନ  ହୀରକ ଜୟନ୍ତୀ ଉତ୍ସବକୁ ତିନି ଦିନ ଧରି ପାଳନ କରିବାକୁ  ଯେଉଁ ପ୍ରସ୍ତାବ ଦେଇଥିଲେ ।  ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଉକ୍ତ ବୈଠକରେ  ପ୍ରଥମ ବ୍ୟାଚ ଛାତ୍ର  ପର୍ଶୁରାମ ସ୍ବାଇଁ, କବି କସ୍ତୁରୀ ଦିଲ୍ଲୀପ  ଶ୍ରୀଚନ୍ଦନ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ହୀରକ ଜୟନ୍ତୀ ଉତ୍ସବକୁ ସଫଳ କରାଇବା ପାଇଁ ଶପଥବଦ୍ଧ ହୋଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *