# ସୁଭଦ୍ରା ଯୋଜନାର କ୍ରିୟାନ୍ୱୟନର ବଡ଼ ଦାୟିତ୍ୱ ପ୍ରଭାତୀଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ହାତରେ
# ସୁଭଦ୍ରାକୁ ନେଇ ନିମାପଡାରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା
# ପ୍ରଭାତୀଙ୍କୁ ଖୋଲାଜିପ୍ରେ ଶୋଭାଯାତ୍ରାରେ ନେବା ସମୟରେ ବିଶାଳ ଜନସମୁଦ୍ର
# ବାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ‘ମା’ ପାଇଁ ଗଛଟିଏ’ ଅଭିଯାନ ଅବସରରେ ଚାରା ରୋପଣ
# ନିମାପଡ଼ା ବୁଦ୍ଧିଜୀବୀ ନାଗରିକ ମଞ୍ଚ ତରଫରୁ ଉପମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ନିମାପଡ଼ା/ଭୁବନେଶ୍ୱର, ୧୨/୦୯/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗତକାଲି ବିଧାନସଭାର କାର୍ଯ୍ୟକାଳ ଶେଷହେବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ନିର୍ବାଚନମଣ୍ଡଳୀ ନିମାପଡା ଗସ୍ତ କରିଥିଲେ। ନିମାପଡାରେ ସୁଭଦ୍ରା ଯୋଜନାକୁ ନେଇ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କୁ ଖୋଲାଜିପ୍ରେ ଏକ ବିଶାଳ ଶୋଭାଯାତ୍ରାରେ ବିରାଟ ଜନ ସମୁଦ୍ର ଦ୍ୱାରା ସ୍ୱାଗତ କରାଯାଇଥିଲା । ସୁଭଦ୍ରା ଯୋଜନାର କ୍ରିୟାନ୍ୱୟନର ବଡ଼ ଦାୟିତ୍ୱ ପ୍ରଭାତୀଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ହାତରେ ରହିଛି । ସୁଭଦ୍ରା ଯୋଜନାର ଶୁଭାରମ୍ଭକୁ ନେଇ ମା’ ଏବଂ ଭଉଣୀଙ୍କ ମଧ୍ୟରେ ଅକୁଣ୍ଠ ଉତ୍ସାହ ଦେଖିବାକୁ ମିଳିଥିଲା ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୁଅଁରପୁରର ଖେଲାର ବଜାରଠାରୁ ବାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ମା’ ପାଇଁ ଗଛଟିଏ ଅଭିଯାନରେ ସାମିଲ ହୋଇଥିଲେ ଏବଂ ବାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଚାରାଟିଏ ରୋପଣ କରିଥିଲେ ।
ପରେ ଶ୍ରୀମତୀ ପରିଡା ନିମାପଡ଼ା ବୁଦ୍ଧିଜୀବୀ ନାଗରିକ ମଞ୍ଚ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବା ସହ ଆତ୍ମୀୟ ସମ୍ବର୍ଦ୍ଧନା ପାଇଁ ନିମାପଡ଼ା ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ଖେଲାର ଅଞ୍ଚଳର ୮୦ ଟି ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ସ୍ଥାନୀୟ ନେତ୍ରୀ ଶ୍ରୀମତୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସମେତ ବିଭିନ୍ନ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।