ମାନବିକତା ଭୂଲି ଗଲେ ଯୁବ ଡାକ୍ତର

ବଡ଼ବିଲ,୦୯/୯/୨୦୨୪ (ଓଡ଼ିଶା ସମାଚାର)-କାଲି ରାତ୍ରି ର ଘଟଣା । ଏକ ସ୍କୁଟିକୁ ଯୋରଦାର ଟକ୍କର ଦେଇ କାର୍ ନେଇ ଖସି ପଳାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ଜଣେ ଯୁବ ଡାକ୍ତର। ଦୁର୍ଘଟଣାରେ ସ୍କୁଟି ଆରୋହୀ ଦୁଇ ଶିଶୁ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ରବିବାର ରାତି ପ୍ରାୟ ୧୦ ଟା ସମୟରେ ବଡ଼ବିଲ ମେନ୍ ରୋଡ଼ସ୍ଥିତ ମସଜିଦ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଆହତମାନେ ହେଲେ, ସ୍କୁଟି ଚଲାଉଥିବା ବଡ଼ବିଲ କେ. ଅଲ୍ଲୀ ମହଲ୍ଲାର ଏମ୍ ଡି ଫାହାରୁକ୍ ଏବଂ ତାଙ୍କ ସହ ଆସୁଥିବା ମହିଳା ଅଜମେରୀ ଖାତୁନ, ମହିଳାଙ୍କ ୧୧ ବର୍ଷର ପୁଅ ଏମ୍ ଡି ଫହାଦ୍ ଓ ୮ ବର୍ଷର ଝିଅ ଆଲିସବା । ଏହି ୪ ଜଣ, ଏକ ସ୍କୁଟି ଯୋଗେ ରବି ସନ୍ସ ମଲ୍ ରୁ ଘରକୁ ଫେରୁଥିବା ବେଳେ,  ଥାନା ଛକ ମସଜିଦ୍ ନିକଟରେ ସ୍କୁଟି କୁ ସାମ୍ନାପଟୁ ଜୋରଦାର ଟକ୍କର ମାରିଥିଲା ଡାକ୍ତରଙ୍କ କାର୍। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଟକ୍କର ଏତେ ଭୟଙ୍କର ଥିଲା ଯେ, ସ୍କୁଟି ରେ ଥିବା ୪ ଜଣଯାକ ଛିଟିକି ପଡ଼ିବା ସହ ଗୁରୁତର ଭାବେ ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ । ତେବେ ସ୍କୁଟି ଟି କାର୍ ଆଗ ଭାଗରେ ଲାଖି ରହିଯାଇଥିଲା । ହେଲେ ମାନବିକତା ଭୂଲି ଯାଇଥିଲେ ଏହି ଯୁବ ଡାକ୍ତର । କାରକୁ ସେଠାରେ ନ ଅଟକାଇ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ । କିରିବୁରୁ ଛକ ପଟକୁ ଯାଇଥିବା ରାସ୍ତାରେ ପାଖାପାଖି ୩୦୦ ମିଟର ପର୍ଯ୍ୟନ୍ତ ସ୍କୁଟିକୁ ଘୋଷାରି ନେଇ ଯିବା ପରେ ଡିଭାଇଡର୍ ନିକଟରେ ଅଟକି ଯାଇଥିଲା ଡାକ୍ତରଙ୍କ କାର୍ । ଏହି କାରକୁ ଡ୍ରାଇଭ୍ କରୁଥିଲେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯୁବ ଡାକ୍ତର ହିମାଂଶୁ ଝା । କାର୍ ଅଟକିବା ପରେ ଲୋକେ ସେଠାରେ ଡାକ୍ତର ହିମାଂଶୁ ଝା ଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ସେପଟେ ସ୍ଥାନୀୟ ଲୋକେ  ଆହତମାନଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ମହିଳା ଓ ତାଙ୍କ ଝିଅଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ଯୁବ ଡାକ୍ତର ଜଣକ ଅତ୍ୟଧିକ ମଦ୍ୟ ପାନ କରି କାର୍ ଚଲାଉଥିବା କୁହାଯାଉଛି । ବଡ଼ବିଲ ପୋଲିସ୍ ଡାକ୍ତର ଝା ଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *