ବଡ଼ବିଲରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ାର ପଦ୍ମ

ବଡ଼ବିଲ, ୦୩/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ପଦ୍ମ ବା ସହସ୍ରଦଳ କମଳ। ବଡ଼ବିଲ ସହର ପି ଏଚ ଡି କଲୋନୀ ନିକଟ ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ। ପ୍ରକୃତି ପ୍ରେମୀ ବିଜୟ ମହାନ୍ତିଙ୍କ ତତ୍ବାବଧାନରେ ଏହି ଗୋଲାପୀ ରଙ୍ଗର ହଜାରେ ପାଖୁଡ଼ାର ପଦ୍ମ ଫୁଟିପାରିଛି। ଏହି ପଦ୍ମର କନ୍ଦାକୁ କଲିକତାରୁ ଆଣି ସେ ବଗିଚାରେ ଲଗାଇଥିଲେ । ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇ ତା’ର ଯତ୍ନ ନେଉଥିଲେ। ପ୍ରଥମେ ପାଖାପାଖି ୨ ମାସ ପରେ ଏଥିରେ କଢ଼ ଧରିଥିଲା। କଢ଼ରୁ ଫୁଲରେ ପରିଣତ ହେବାକୁ  ଏହାକୁ ପ୍ରାୟ ଦୁଇ ସପ୍ତାହ ଲାଗିଥିଲା । ଏକବର୍ଷ ପରେ ଏବେ ପୁଣି  ଥରେ ଏହି  ବିରଳ ହଜାରେ ପାଖୁଡ଼ାର ପଦ୍ମ ଫୁଲଟି ଫୁଟିବା ପରେ ଐକ୍ୟ କ୍ଷେତ୍ରକୁ ଲୋକଙ୍କ ଆଗମନ ହେଉଛି । ବିରଳ ପଦ୍ମ  ଦେଖଣା ହାରୀଙ୍କ ମନମୋହି ନେଉଛି। ଅନ୍ୟ ପଦ୍ମ ଫୁଲ ଭଳି ଆକାର, କିନ୍ତୁ ପାଖୁଡ଼ା ସଂଖ୍ୟା ହଜାରେ । ବିରଳ ସହସ୍ର ଦଳ ପଦ୍ମକୁ ଦେଖିବା ପରେ ଫଟୋ ଟିଏ ନ ଉଠାଇ ଲୋକେ ରହିପାରୁ ନାହାଁନ୍ତି । ଏହା ପୂର୍ବରୁ ଗତ ବର୍ଷ ମାର୍ଚ୍ଚ ମାସରେ ଗୋଲାପୀ ରଙ୍ଗର ୧୦୦୦ ପାଖୁଡ଼ା ଏବଂ ଅଗଷ୍ଟ ମାସରେ ୧୦୦୦ ପାଖୁଡ଼ାର ଶ୍ୱେତ ପଦ୍ମ ଫୁଟାଇ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲେ ବିଜୟ । ଏତଦ୍ ବ୍ୟତୀତ ବିଜୟଙ୍କ ଉଦ୍ୟମରେ ଏହି ବଗିଚାରେ ବିଭିନ୍ନ ରଂଗର ହାଇବ୍ରିଡ୍‌ ପଦ୍ମ ଓ କଇଁ ଫୁଲର ସଂଗ୍ରହ ମଧ୍ୟ ରହିଛି ।  ଅନ୍ୟାନ୍ୟ ପ୍ରଜାତିର ପାଖାପାଖି ଦୁଇଶହ ପଚାଶ ପ୍ରକାର ଫୁଲ ଓ  ବୃକ୍ଷ ( ପ୍ଲାଣ୍ଟ), ଏଠାରେ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *