କେନ୍ଦ୍ରାପଡ଼ା, ୦୧/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ରାଜକିନିକା ବ୍ଲକ ଅନ୍ତର୍ଗତ ସିକୋ ଏବଂ କାଟଣାବଣିଆ ଗ୍ରାମପଂଚାୟତରେ ମିଥ୍ୟା ବିଲ୍ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି । ତାହାରି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣା ଆଜି ଚତୁର୍ଥ ଦିନରେ ପହଂଚିଛି । ଆଜି ସୁଦ୍ଧା କୈାଣସି ସରକାରୀ ଅଧିକାରୀ ଧାରଣା ସ୍ଥଳକୁ ଆସିନାହାନ୍ତି କି ଧାରଣାକାରୀଙ୍କ ସହ ଆଲୋଚନା କରିନାହାନ୍ତି ବୋଲି ସୂଚନା ମିଳିଛି । ଏହି ଧାରଣା ଦେଇଛନ୍ତି ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ । ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ରାଜକନିକା ବ୍ଲକର ସିକୋ ଏବଂ କାଟଣାବଣିଆ ଗ୍ରାମପଂଚାୟତର ଦୁଇଟି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନିମନ୍ତେ ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରିୟବ୍ରତ ଦାସଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରକଳ୍ପ ଦୁଇଟିର କାର୍ଯ୍ୟାନ୍ୱୟନ ପରେ ପ୍ରଦାନ କରାଯାଇଥିବା ଜିଏସଟି ବିଲ୍ ହାତରେ ଲେଖା ହୋଇଥିବା ବେଳେ ସେହି ବିଲ୍ ରେ ଲେଖାଥିବା ଠିକଣାରେ ସେଭଳି କୋଣସି ଦୋକାନ ନଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଫଳରେ ଏହି ପ୍ରକଳ୍ପ ଦ୍ୱୟର ମିଥ୍ୟା ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଦୁଇଟିଯାକ ପ୍ରକଳ୍ପରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇଥିବା ମଧ୍ୟ ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଦୀର୍ଘ ଆଠମାସ ବିତିଯାଇଥିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସେ ବାଧ୍ୟ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣା ଦେଇଛନ୍ତି । ତେଣୁ ଶ୍ରୀ ଆଚାର୍ଯ୍ୟ ମିଥ୍ୟା ବିଲ୍ କରି ସରକାରୀ ଅର୍ଥ ଆତ୍ମସାତ୍ କରିଥିବା କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିିଛନ୍ତି । ଶ୍ରୀ ଆଚାର୍ଯ୍ୟଙ୍କୁ ସମର୍ଥନ ଜଣାଇ ସୂଚନା ଅଧିକାର ଅଭିଯାନର କେନ୍ଦ୍ରାପଡା ଜିଲା ଆବାହକ ପ୍ରତାପ ମହାନ୍ତି, ଉତ୍କଳ କେଶରୀ ପାହାଡସିଂ, ଗୌତମ ସାହୁ, ଅମରବର ବିଶ୍ୱାଳ, ମାନସ ଆଚାର୍ଯ୍ୟ,ସୁମନ୍ତ ସେଠୀ ପ୍ରମୁଖ ଧାରଣାରେ ସାମିଲ୍ ହୋଇଥିବାର ଦେଖିବାକୁ ମିଳିଛି ।