# ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା
# କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁ଼ଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ।
# ଓଡ଼ିଶାକୁଅଧିକପ୍ରକଳ୍ପମଂଜୁରୀପାଇଁନାବାର୍ଡକୁ ପରାମର୍ଶ
ଭୁବନେଶ୍ୱର, ୨୮/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-୨୦୨୪ -୨୫ ଆର୍ଥିକ ବର୍ଷ ନିମନ୍ତେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ର ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅଧିନରେ ରାଜ୍ୟରେ ୨୦୨୩-୨୪ ମସିହାରେ ଜଳସଂପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ପଂଚାୟତିରାଜ ଓ ପାନୀୟଜଳ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଆଦି ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା,ସଫଳତା ଓ କାର୍ଯ୍ୟ ଅଗ୍ରଗତି ଆଦି ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମୀକ୍ଷା କରିଥିଲେ । କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକର ତ୍ୱରାନ୍ୱିତ କରିବା ପରିପ୍ରେକ୍ଷୀରେ ସେ ସଂପୃକ୍ତ ସମସ୍ତ ବିଭାଗମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ମଧ୍ୟରେ ଜଳସଂପଦ ବିଭାଗ ଜରିଆରେ ବିଭିନ୍ନ ଜିଲ୍ଲାରେ ନଦୀ ଗୁ଼ଡ଼ିକରେ ତଟବନ୍ଧ ସୁରକ୍ଷାକାର୍ଯ୍ୟ ,ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ, ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା ପ୍ରକଳ୍ପ,ବୃହତ୍ ଉଠା ଜଳସେଚନ ପ୍ରକଳ୍ପ (ମେଗା ଲିଫ୍ଟ) କାର୍ଯ୍ୟ ଆଦି କରାଯାଇଥିବା ସଂପର୍କର ଉପସ୍ଥାପନ କରାଯାଇଥିଲା । ସେହିପରି ପୂର୍ତ୍ତ ବିଭାଗ ତରଫରୁ ହାଇ ଲେଭଲ ସେତୁ ନିର୍ମାଣ ଓ ରାସ୍ତା ଉନ୍ନତିକରଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ସଂପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା।କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜଳନିଧି ଯୋଜନାରେ ଜଳସେଚନ, ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଜରିଆରେ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଜରିଆରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ସଂପର୍କରେ ଉପସ୍ଥାପିତ ହୋଇଥିଲା।ବିଭିନ୍ନ ବିଭାଗ ଜରିଆରେ କରାଯାଇଥିବା ଆର.ଆଇ.ଡି.ଏଫ୍ ପାଣ୍ଠି ଅଧିନରେ ୨୦୨୪-୨୫ ବର୍ଷ ପାଇଁ ବଜେଟରେ ପ୍ରାବଧାନ, କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ଅଦ୍ୟାବଧି ଖର୍ଚ୍ଚ ଆଧାରରେ ନାବାର୍ଡକୁ ଅଧିକ ଅର୍ଥ ମଞ୍ଜୁରି ପାଇଁ ପରାମର୍ଶ ଦିଆଯାଇଛି ।
ବୈଠକରେ କମିଟିର ସଦସ୍ୟ ଥିବା ସଂପୃକ୍ତ ଉପରୋକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ,ବରିଷ୍ଠ ପଦାଧିକାରୀ ଏବଂ ନାବାର୍ଡ,ଓଡ଼ିଶାର ମୁଖ୍ୟ ସାଧାରଣ ପରିଚାଳକ(ସିଜିଏମ) ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।