ନଦୀ ଘାଟରେ ପୋଲିସ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ
କଟକ, ୦୫/୦୭/୨୦୨୬ (ଓଡ଼ିଶା ସମାଚାର)- ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଏପରିକି ଜିଲାର ସବୁ କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ସରକାରୀ ଓ ଘରୋଇ ନିର୍ମାଣ କାମ ଦିନକ ପାଇଁ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସିଏମ୍ସି କମିସନର ଓ ବିଡିଓଙ୍କୁ ଚିଠି କରାଯାଇଛି। ନଦୀ ଘାଟରେ ପୋଲିସ ପାଟ୍ରୋଲିଂ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯିବା ସହ ନଦୀ ଘାଟରୁ ବାଲି ଉଠାଣ ଉପରେ କଟକଣା ଜାରି କରାଯାଇଛି। ସୂଚନା ଯୋଗ୍ୟ, ସୋମବାର କଟକ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
