ପୁରୀ/ ଭୁବନେଶ୍ୱର, ୨୪/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସଶକ୍ତ ଓଡିଶା ଗଠନ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଉଲ୍ଲେଖ କରିଛନ୍ତି । ନିମାପଡା ଶହୀଦ ସ୍ମୃତି ସଂସଦଠାରେ ମହିଳାମାନଙ୍କ ସଶକ୍ତିକରଣ ଲକ୍ଷ୍ୟରେ କାନରା ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଋଣ ମେଳାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟଅତିଥି ଭାବେଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ । ଏହି ମେଳାରେ ୪୧୦ ଗୋଟିସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରଥମ ଥର ଲାଗି ମହିଳାମାନଙ୍କ ପାଇଁ ଏଭଳି ଏକ ଋଣ ମେଳାର ଆୟୋଜନ କରାଯିବା ସମଗ୍ର ମହିଳାମାନଙ୍କ ପାଇଁ ଗର୍ବ ଓ ପ୍ରେରଣା ଦାୟକ ବୋଲି କହିଥିଲେ । ସଶକ୍ତ ଓଡିଶା ଗଠନରେ ସମସ୍ତଙ୍କର ଦାୟିତ୍ୱ ରହିଛି । ମହିଳାମାନେ ସଶକ୍ତ ହେଲେ ପୂରା ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହେବ ।ଏତଦ୍ ବ୍ୟତୀତ ସମାଜ ଗଠନରେ ତାଙ୍କର ଭାଗୀଦାରି ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି ବୋଲି ସେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ମିଶନ ଶକ୍ତିର ଅତିରିକ୍ତ ସଚିବ ସୁମିତ୍ରାପଟ୍ଟନାୟକ, କାନଡା ବ୍ୟାଙ୍କ ମୁଖ୍ୟ ଦିବାକର ପ୍ରସାଦ ହରିଚନ୍ଦନ, ପି. ସି. ୱିଙ୍ଗ୍ସ ର ଜେନେରାଲ ମ୍ୟାନେଜର ମମତା ଏ ଜୋଶୀ, ଜଗଦୀଶ ଚନ୍ଦର, ରେଜିଓନାଲ ଚିଫ୍ ମହାମାୟା ପ୍ରସାଦ ରାୟ ଓ ନିମାପଡା କାନରା ବ୍ୟାଙ୍କମ୍ୟାନେଜର ମିଲନ ପୃଷ୍ଟି ପ୍ରମୁଖ ଯୋଗଦେଇ ମହିଳାମାନଙ୍କୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହାକୁ ଉପଯୋଗ କରି ସେମାନେ ନିଜର ଦକ୍ଷତା ପ୍ରତିପାଦିତ କରି ଉନ୍ନତି ପଥରେ ଅଗ୍ରସର ହେବାକୁ ଆହ୍ୱାନ ଦେଇଥିଲେ ।