ମହିଳାଙ୍କୁ ବଳାତ୍କାର ଉଦ୍ୟମ : ଦୋଷୀକୁ ୪ ବର୍ଷ ଜେଲ ଦଣ୍ଡ

କେନ୍ଦ୍ରାପଡ଼ା, ୨୩/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଆଡହକ ଅତିରିକ୍ତ ଦୌରାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା ଏକ ବଳାତ୍କାର ଉଦ୍ୟମ ମାମଲାର ବିଚାର କରି ଆସାମୀ ଅଶୋକ ମଳିକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିବା ସହ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡ ଭୋଗ କରିବାକୁ ପଡିବ ବୋଲି କୋର୍ଟ ରାୟ ଦେଇଛନ୍ତି । ଏଥିସହ ପିଡିତା ମହିଳାଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲା ଆଇନ୍ ସେବା ପ୍ରାଧିକରଣକୁ ନିର୍ଦ୍ଧେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲାର ପାଟକୁରା ଥାନା ଅନ୍ତର୍ଗତ ହନ୍ତପଡ଼ା ଗ୍ରାମର ଗୋଲକ ମଳିକଙ୍କ ପୁଅ ଅଶୋକ ମଳିକ ୨୦୧୯ ମସିହା ଜୁନ୍ ୨୫ରିଖ ବିଳମ୍ବିତ ରାତିରେ ତାଙ୍କ ଗ୍ରାମର ଜନୈକ ମହିଳାଙ୍କ ଘରେ ପଶିଥିଲେ । ମହିଳାଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ସେ ମହିଳାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିବାରେ ମହିଳା ଜଣକ ପାଟି କରି ତାଙ୍କୁ ବାଧା ଦେଇଥିଲେ । ଫଳରେ ଲୋକମାନେ ସେଠାରେ ପହଂଚିଯିବାରୁ ଭୟରେ ଆସାମୀ ଅଶୋକ ମହିଳାଙ୍କୁ ଛାଡି ପଳାଉଥିଲା ବେଳେ ମହିଳାଙ୍କ ଶାଶୁ ବାଧା ଦେଇଥିଲେ । ଫଳରେ ଅଶୋକ ତାଙ୍କୁ ମାଡ଼ ମାରିଥିଲା । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ତାଙ୍କୁ ଧମକ ଦେଇ ଫେରାର ହୋଇ ଯାଇଥିଲା । ମହିଳା ଜଣକ ଏ ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତିକରି ପାଟକୁରା ଥାନା ପୋଲିସ ଥାନାକେଶ ନମ୍ବର ୧୭୧/୨୦୧୯ରେ ଏକ ମାମଲା ରୁଜୁ କରିବା ସହିତ ଗୋଲକକୁ ପୋଲିସ ଗିରଫ କରି ଜେଲକୁ ପଠାଇଥିଲା । ସେହି ମାମଲାର ଅଭିଯୋଗଫର୍ଦ୍ଧ କୋର୍ଟରେ ଦାଖଲ ହେବା ପରେ ଜିଆର ନଂ. ୯୪୯/୨୦୧୯ ଓ ଏସଟି ନମ୍ବର- ୧୦/୨୦୨୨ର ଶୁଣାଣି ଆରମ୍ଭ ହୋଇଥିଲା । ଏହି ମାମଲାରେ ୮ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତିିକରି ଆଡହକ ଅତିରିକ୍ତ ଦୌରାଜଜ ଶ୍ରୀ ଚିନ୍ନାରା ଆସାମୀ ଅଶୋକ ମଳିକଙ୍କୁ ଭାରତୀୟ ଦଣ୍ଡବିଧୀ ଆଇନର ଦଫା ୪୫୭ ଓ ୩୫୪ରେ ୪ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସଞ୍ଜୟ କୁମାର ଜେନା କୋର୍ଟରେ ମାମଲାର ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *