“ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ

                                                           ପରିବେଶ ସୁରକ୍ଷା ଆମ କର୍ତବ୍ୟ – ଜିଲାପାଳ

 କେନ୍ଦ୍ରାପଡା, ୨୩/୮/୨୦୨୪ (ଓଡ଼ିଶା ସମାଚାର)- ପରିବେଶର ସୁରକ୍ଷା ଓ ମାଟି ମା’ ପାଇଁ ବୃକ୍ଷର ଆବଶ୍ୟକତା ରହିଛି ଓ ରହିବ ବୋଲି ବିଶ୍ୱ ପରିବେଶ ଦିବସ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଜିଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ କାର୍ଯ୍ୟାଳୟ ପରିସରରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମତବ୍ୟକ୍ତ କରିଛନ୍ତି ଓ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଧେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲାରେ ବିଶ୍ୱ ପରିବେଶ ଦିବସ ଅବସରରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡା ଜିଲାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରତ୍ୟେକ ଲୋକ ନିଜ ମାଟି ମା’ ପାଇଁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ସମାଜ ପାଇଁ ପ୍ରେରଣାଦାୟୀ ଦାୟିତ୍ୱ ସମ୍ପନ୍ନ କରିବା ଆବଶ୍ୟକ ।  ଫଳରେ ଆମ ମାଟି ଆମ ପରିବେଶ ପ୍ରଦୂଷଣମୁକ୍ତ ହେବା ସହ ଜୀବନ ଧାରଣର ମାର୍ଗ ପ୍ରଶସ୍ତ ଓ ସୁଦୂରପ୍ରସାରୀ ହୋଇପାରିବ । ପରିବେଶର ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷର ଆବଶ୍ୟକତା ରହିଛି ବୋଲି ଆମେ ସମସ୍ତେ ବୁଝିଲେଣି । ଏହାକୁ ଅଧିକ କ୍ରିୟାଶୀଳ କରିବା ହେଉଛି “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ ।  ଜିଲାର ପ୍ରତ୍ୟେକ ବ୍ଲକ୍ କାର୍ଯ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଓ ଆଜିର ଆହ୍ୱାନ ହେଉଛି :- ଆସ ଆମେ ସମସ୍ତେ ନିଜ ପାଇଁ ନିଜ ମାଟି ମା’ ପାଇଁ ଗଛଟିଏ ଲଗାଇବା । ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ତଥା ଜିଲା ପରିଷଦର ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ନୀଲୁ ମହାପାତ୍ର, ଉପ-ଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଜିଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ, ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲା ପରିଷଦର ପ୍ରକଳ୍ପ ପରିଚାଳକ (ଦକ୍ଷତା ବିକାଶ) ଅବଦୁଲ୍ ରହେମାନ୍, ଛତା ପଲିଟେକ୍ନିକର ଛାତ୍ର-ଛାତ୍ରୀ, କେନ୍ଦ୍ରାପଡା ଦକ୍ଷତା ବିକାଶ କାର୍ଯ୍ୟାଳୟରେ ତାଲିମ୍ ନେଉଥିବା ଶିକ୍ଷାନବୀଶ ଏବଂ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *