କେନ୍ଦ୍ରାପଡ଼ା,୧୮/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଲାଗି ହେବା ପାଇଁ ଏକଲକ୍ଷ ତୁଳସୀ ଆସି ଇଛାପୁରସ୍ଥିତ ଶ୍ରୀଜୀଉଙ୍କ ମନ୍ଦିରରେ ପହଂଚିିଛି । ଏହି ତୁଳସୀ କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗୟାସପୁରର ବିଣାପାଣୀ କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରରୁ ଶ୍ରୀଜୀଉଙ୍କୁ ଲାଗି ହେବା ପାଇଁ ଆସିଛି । ଶ୍ରୀବଳଦେବଜୀଉଙ୍କ ଜନ୍ମଦିନ ତଥା ଗ୍ରହ୍ମାପୂର୍ଣ୍ଣର୍ିମା ଅବସରରେ ଏହି ତୁଳସୀ ଶ୍ରୀଜୀଉଙ୍କୁ ଲାଗି କରାଯାଇଥାଏ । ଗୟାସପୁରରୁ ପଦଯାତ୍ରା କରି ସଂସ୍ଥାର କର୍ମକର୍ତାମାନେ ଏହି ତୁଳସୀ ନେଇ ଶ୍ରୀଜୀଉଙ୍କ ପାଖକୁ ଆସିଥାନ୍ତି । ସେମାନେ ଆଜି ମାଉସୀମା ମନ୍ଦିର ନିକଟରେ ପହଂଚିବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଏହି ଲକ୍ଷେ ତୁଳସୀକୁ ନାମ ସଙ୍କୀର୍ତନ ଓ ଭଜନ କୀର୍ତନ କରି ଶ୍ରୀଜୀଉଙ୍କ ମନ୍ଦିରକୁ ଆଣିଥିଲେ । ଏହି ତୁଳସୀକୁ ଶ୍ରୀବଳଦେବଜୀଉଙ୍କ ଦେବୋତର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଓ ବୋର୍ଡର ସଦସ୍ୟ ତପନ କୁମାର ପୃଷ୍ଟିଙ୍କ ଉପସ୍ଥିତିରେ ମନ୍ଦିର ସୁପରଭାଇଜର, ସେବାୟତ ଟ୍ରଷ୍ଟି ଓ ବଡପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଲକ୍ଷେ ତୁଳସୀକୁ ଭଣ୍ଡାର ଘରେ ରଖାଯାଇଛି । ଏହି ତୁଳସୀକୁ ପାଣିରେ ଧୋଇ ଅଗରୁ ଓ ଚନ୍ଦନରେ ଗୋଳାଇ ସଂସ୍କାର କରାଯିବା ପରେ ଶୁଖାଯିବ । ଶୁଖିବା ପରେ ସୋମବାର ଗହ୍ମାପୂର୍ଣ୍ଣିମା ଓ ଶ୍ରୀଜୀଉଙ୍କ ଜନ୍ମଦିନ ଅବସରରେ ଶ୍ରୀଜୀଉଙ୍କୁ ଲାଗି କରାଯିବ । ଗତ ପ୍ରାୟ ୫ବର୍ଷ ଧରି ଏହି ତୁଳସୀ ଶ୍ରୀଜୀଉଙ୍କ ଲାଗି ହେବା ପାଇଁ ସେଠାରୁ ଆସୁଛି । କଥିତ ଅଛି ଯେ ଶ୍ରୀଜୀଉଙ୍କ ଜନ୍ମଦିନରେ ତୁଳସୀ ଲାଗି କରାଗଲେ ତୁଳସୀ ପଠାଇଥିବା ଲୋକର ମଙ୍ଗଳ ହୋଇଥାଏ ।