ଦେଶାତ୍ମବୋଧକ ସଂଗୀତ ଉତ୍ସବ ‘ଭାରତୀୟମ୍‌’ ଅନୁଷ୍ଠିତ

ଭୁବନେଶ୍ୱର,୧୭/୮/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭାରତ ସ୍ୱାଧୀନତାର ୭୮ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ‘ଭାରତୀୟମ୍‌’ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମୁକ୍ତି ସଂଗ୍ରାମରେ ଯେଉଁ ବୀରମାନେ ନିଜର ବୀରତ୍ୱ ଓ ଦୁଃସାହସିକତାର ପରାକାଷ୍ଠା ପ୍ରଦର୍ଶନପୂର୍ବକ ଆମ ଦେଶକୁ ସ୍ୱାଧୀନତା ଆଣି ଦେଇଥିଲେ, ସେହି ବରପୁତ୍ରମାନଙ୍କ ସ୍ମୃତିଚାରଣ ନିମନ୍ତେ ଏହି ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ଆୟୋଜନ କରାଯାଇଥିଲା ।

            ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ  ଶ୍ରୀ ପ୍ରବୋଧ ରଥ ଅତିଥି ରୂପେ ଯୋଗଦେଇଥିବାବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ପ୍ରମୁଖ ମୁଖ୍ୟ ଆୟକର କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଅଂଶଗ୍ରହଣ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ଓ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ ।

            ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶୈଳଭାମା ମହାପାତ୍ର, ଅନ୍ତରା ଚକ୍ରବର୍ତ୍ତୀ, ମୁନମୁନ୍‌ ପଟ୍ଟନାୟକ, କରୁଣାକର ସେଠୀ, କାର୍ତ୍ତିକ ଚନ୍ଦ୍ର ସାହୁ, ଦିବ୍ୟରଞ୍ଜନ ପଟ୍ଟନାୟକ, ସୁଶାନ୍ତ କୁମାର ପାଣି, ଶାଶ୍ୱତ ତ୍ରିପାଠୀ, ତନୁଶ୍ରୀ ଜେନା, ସ୍ନେହ ଚକ୍ରବର୍ତ୍ତୀ ପ୍ରମୁଖ ବିଶିଷ୍ଟ ସଙ୍ଗୀତ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ ଓ ଇଂ. ମିଲନ୍‌ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *