ଜିରୋ କାଜୁଆଲିଟି ଉପରେ ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ଗୁରୁତ୍ୱ
ଭୁବନେଶ୍ୱର, ୧୪/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାରଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚଳିତ ମୌସୁମୀ ଋତୁରେ ଜଳବାହିତ ଓ ଭେକଫର ବାହିତ ରୋଗ ଯଥା-ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ରୋଗରେ ସଂକ୍ରମିତ ହୋଇ ଯେପରି ରାଜ୍ୟର ଜଣେ ବି ବ୍ୟକ୍ତି ମୃତୁ୍ୟବରଣ ନକରନ୍ତି, ତା’ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏହିସବୁ ରୋଗର ପ୍ରତିରୋଧ ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାପୂର୍ବକ ଜନସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତାକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଜଳବାହିତ ଓ ଭେକଫର ବାହିତ ରୋଗ ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ରୋଗରେ ସଂକ୍ରମିତ ହେଉଥିବା ଲୋକମାନଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ ଓ କି୍ରୟାଶୀଳ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେ ଚିକିତ୍ସକ ଓ ସହଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଡେଙ୍ଗୁ ରୋଗୀଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡ଼ିକାଲ କଲେଜମାନଙ୍କରେ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା, ମ୍ୟାଲେରିଆ ନିରାକରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରି ବଣ୍ଟନ ଏବଂ ଡାଇରିଆ ପ୍ରତିରୋଧ ପାଇଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଓଆର୍ଏସ୍ ପ୍ୟାକଟ୍ ଓ ଜିଙ୍କ୍ ଔଷଧର ବଣ୍ଟନ ଉପରେ ମନ୍ତ୍ରୀ ଡ. ମହାଲିଙ୍ଗ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ୧୫ଟି ଜିଲ୍ଲା ଯଥା-କଳାହାଣ୍ଡି, ବଲାଙ୍ଗିର, ଗଞ୍ଜାମ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, ଗଜପତି, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ ରୋଗର ବର୍ତ୍ତମାନର ସ୍ଥିତି ଓ ପରିସଂଖ୍ୟାନର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଯେଉଁ ଅଞ୍ଚଳଗୁଡ଼ିକରେ ଜଳବାହିତ ଓ ଭେକଫରବାହିତ ରୋଗ ବ୍ୟାପୁଛି ସେସବୁ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ମନ୍ତ୍ରୀ ଡ. ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ ଘର ଘର ଯାଇ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଖୋର୍ଦ୍ଧା, ବଲାଙ୍ଗିର, ଗଞ୍ଜାମ ସମେତ ଅନ୍ୟ କିଛି ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଡାକ୍ତରଖାନାମାନଙ୍କରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜିଲ୍ଲାମାନଙ୍କର ଜଳବାହିତ ଓ ଭେକଫର ବାହିତ ରୋଗର ପରିସଂଖ୍ୟାନ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶିକା ରାଜ୍ୟର ଷ୍ଟପ୍ ଡାଇରିଆ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତଙ୍କ ସମେତ ସମସ୍ତ ନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ବିଭିନ୍ନ ମେଡ଼ିକାଲ କଲେଜର ଅଧୀକ୍ଷକ ଏବଂ ୧୫ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଆଭାସି ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିଲେ ।