ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଏବଂ “ହର୍ ଘର୍ ତିରଙ୍ଗା” ଅଭିଯାନରେ ଝଲସିବ ଓଡିଆ ଅସ୍ମିତା

                               କାର୍ଯ୍ୟକ୍ରମକୁ ପୂର୍ଣ୍ଣପ୍ରାଣରେ ସଫଳ କରିବାକୁ ସୂଚନା ଓ ଲୋକସମ୍ପର୍କ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର, ୧୦/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ବର୍ଷ ଜିଲ୍ଲାସ୍ତରରେ ଆଗାମୀ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା “ହର୍ ଘର୍ ତିରଙ୍ଗା” ଅଭିଯାନ ସମେତ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ଓଡିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦ୍ଵୟକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି ।

          ଗତକାଲି ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସହିତ ଆୟୋଜିତ ବୈଠକ ପରିପ୍ରେକ୍ଷୀରେ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉଚ୍ଚ ପଦାଧିକାରୀ ଏବଂ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଆଜି ଅପରାହ୍ନରେ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ଏହି ପରାମର୍ଶ ଦେବା ସହିତ ଉଭୟ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରରେ ଗ୍ରହଣ କରାଯିବାକୁ ଥିବା ବିବିଧ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ତତସହିତ, ଅଦ୍ୟାବଧି ଏ ଦିଗରେ ଜିଲ୍ଲାସ୍ତରରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମଧ୍ୟ ଶ୍ରୀ ସିଂ କେତେକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ପଚାରି ବୁଝିଥିଲେ ।

          ଉଭୟ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସ୍ଵାଧୀନତା ସଂଗ୍ରାମୀ କିମ୍ବା ସେମାନଙ୍କ ପରିବାରର ନିକଟତମ ସଦସ୍ୟ ଏବଂ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଯଥା ସମ୍ମାନ ପ୍ରଦର୍ଶନ ପୂର୍ବକ ନିମନ୍ତ୍ରଣ କରି ଆୟୋଜିତ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିବା ଦିଗରେ ଅଦ୍ୟାବଧି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ସମୀକ୍ଷା କରିଥିଲେ । ସେହିପରି, “ହର୍ ଘର୍ ତିରଙ୍ଗା” ଅଭିଯାନକୁ ଶତ ପ୍ରତିଶତ ସଫଳ କରିବା ଲକ୍ଷ୍ୟରେ ବହୁବିଧ ପ୍ରଚାର ମାଧ୍ୟମ ଉପଯୋଗରେ ଏହି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର କରିବା ସଙ୍ଗେସଙ୍ଗେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ମଧ୍ୟ ସେ ସବୁକୁ ପ୍ରଦର୍ଶିତ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଥିଲେ । “ହର୍ ଘର୍ ତିରଙ୍ଗା” ଅଭିଯାନର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯେପରି ସମାଜର ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।

          “ହର୍ ଘର୍ ତିରଙ୍ଗା” ଅଭିଯାନ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ  ସୂଚନା ଓ ଲୋକସମ୍ପର୍କ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଉପରେ ରାଜ୍ୟ ସରକାର ଗୁରୁଦାୟିତ୍ଵ ନ୍ୟସ୍ତ କରିଥିବାରୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ସୂଚନା ଓ ଲୋକସମ୍ପର୍କ ବିଭାଗ ପାଇଁ ସମ୍ମାନର ପ୍ରଶ୍ନ ବୋଲି ପ୍ରମୁଖ ଶାସନ ସଚିବ ପ୍ରକାଶ କରିଥିଲେ । ସେଥିପାଇଁ, ଜିଲ୍ଲା ପ୍ରଶାସନର ସୁପରାମର୍ଶରେ ଏହିସବୁ ବିଭାଗ ସମେତ ମିଶନ ଶକ୍ତି ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ କ୍ରୀଡା ଓ ଯୁବସେବା ବିଭାଗ ସହିତ ଉତ୍ତମ ସାମଞ୍ଜସ୍ୟ ରଖିବାକୁ ଶ୍ରୀ ସିଂ ପରାମର୍ଶ ଦେଇଥିଲେ ।

          ସ୍ଵାଧୀନତା ପ୍ରାପ୍ତିର ମହାନ ଉପଲବ୍ଧି ପଛରେ ରାଜ୍ୟର ମହାପୁରୁଷମାନଙ୍କ ଉତ୍ସର୍ଗୀକୃତ ଅବଦାନ ଗାଥାକୁ ଉତ୍ତରପିଢି ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବରେ ଗାନ୍ଧୀ ମାର୍ଗରେ ଯେପରି ଓଡିଶାର ମହାପୁରୁଷମାନଙ୍କ ଫଟୋଚିତ୍ର ସ୍ଥାନିତ କରାଯିବା କାର୍ଯ୍ୟକ୍ରମ ରହିଛି, ସେହି କ୍ରମରେ ଜିଲ୍ଲାସ୍ତରରେ ମଧ୍ୟ ପ୍ୟାରେଡ ଆୟୋଜନ ସ୍ଥଳରେ ମହାପୁରୁଷମାନଙ୍କ ଫଟୋଚିତ୍ର ସ୍ଥାନିତ କରିବାକୁ ଶ୍ରୀ ସିଂ ଗୁରୁତ୍ଵାରୋପ କରିଥିଲେ ।

          ଉକ୍ତ ସମୀକ୍ଷା ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ଦ୍ଵୟର ସଫଳ ରୂପାୟନ ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ, ବିଭାଗୀୟ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପ-ନିର୍ଦ୍ଦେଶିକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *