ଭୁବନେଶ୍ୱର, ୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ ସ୍ଥିତ ଆଦିକବି ସାରଳା ଦାସ ଓଡ଼ିଆ ଅଧ୍ୟୟନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ “ଶାସ୍ତ୍ରୀୟ ଓଡିଶୀ ସଙ୍ଗୀତର ପରମ୍ପରା” ଶୀର୍ଷକ ଉପରେ ଏକ ଦୁଇ ଦିନିଆ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମ ଓଡିଶୀ ଗବେଷଣା କେନ୍ଦ୍ରସ୍ଥିତ ପ୍ରେକ୍ଷାଳୟ ‘ଉତ୍କଳ ରଙ୍ଗମଞ୍ଚ’ ଠାରେ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମ ଅଗଷ୍ଟ ୭ ଏବଂ ୮ ତାରିଖ ପ୍ରତ୍ୟହ ସକାଳ ୧୦ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସୂଚନା ମିଳିଛି।
ବିଶିଷ୍ଟ ଓଡିଶୀ ସଙ୍ଗୀତ ଗାୟିକା ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଡ଼କ୍ଟର ଗୋପାଳ ପ୍ରସାଦ ମହାପାତ୍ର, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଓ ଗୁରୁ ରାମହରି ଦାସ ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରିଥିଲେ। ସର୍ବପ୍ରଥମେ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟନିର୍ବାହୀ ତଥା ସୁନାମଧନ୍ୟ ଓଡିଶୀ ନୃତ୍ୟଶିଳ୍ପୀ ସିକତା ଦାସ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ନିଜର ଅଭିଭାଷଣ ବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଜବହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଶ୍ରୀ ଉଦୟନାଥ ସାହୁ, ଓଡିଶୀ ସଙ୍ଗୀତ ଗବେଷକ ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ ଏବଂ ଭଞ୍ଜ ସାହିତ୍ୟ ତଥା ସଂସ୍କୃତି ବିଶେଷଜ୍ଞ ଶାନ୍ତୁନୁ କୁମାର ରଥ ଆଦି ବିଶିଷ୍ଟ ବକ୍ତା ଭାବେ ଯୋଗଦାନ କରି ଶାସ୍ତ୍ରୀୟ ଓଡିଶୀ ସଙ୍ଗୀତ ର ପରମ୍ପରା ଉପରେ ଆଲୋଚନା କରିବା ସହ ଓଡିଶୀ ସଙ୍ଗୀତ ଓଡିଶାର ସଂସ୍କୃତି ଓ ଐତିହ୍ୟ କୁ ସମୃଦ୍ଧ କରୁଛି ବୋଲି ମତପ୍ରକାଶ କରିଥିଲେ।
ପ୍ରକାଶଯୋଗ୍ୟ ଯେ, ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଓଡିଶୀ ଗବେଷଣା କେନ୍ଦ୍ର ଓଡିଶୀ ସଙ୍ଗୀତ ର ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟ କରିଆସୁଛି। ଆଜିର ଆଲୋଚନ ଚକ୍ରରେ ବିଶିଷ୍ଟ ଗୁରୁ, ସଂଗୀତଜ୍ଞ, କଳାକାର ବୃନ୍ଦ ଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।