କେନ୍ଦ୍ରାପଡ଼ା, ୨/୮/୨୦୨୪ (ଓଡ଼ିଶା ସମାଚାର)-ଏକ ଆଳୁଗୋଦାମର ମ୍ୟାନେଜରଙ୍କୁ ସ୍ପଷ୍ଟ ଦିବାଲୋକରେ ଭୂଜାଲିରେ ହାଣି ତାଙ୍କ ପାଖରୁ ୯ଲକ୍ଷ ଟଙ୍କା ଲୁଟି ନେଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଦୈତାରୀ – ପାରାଦୀପ ଜାତୀୟ ରାଜପଥର ବିଶ୍ୱାଳ ଢାବା ନିକଟସ୍ତ ରାସ୍ତା ଉପରେ ଏହି ଲୁଟର ଶୀକାର ହୋଇଛନ୍ତି ଗୋପଛକରେ ଥିବା ଆଳୁ ଗୋଦାମର ମ୍ୟାନେଜର ସୁଶାନ୍ତ ସାହୁ । ଆକ୍ରମଣରେ ସୁଶାନ୍ତ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଖବର ଅନୁଯାୟୀ ବଗଡା ଗ୍ରାମପଂଚାୟତର ଭୂଇଁପୁର ଗ୍ରାମର ବିଶ୍ୱଜିତ ଦାସଙ୍କ ଗୋପଛକରେ ଥିବା ଆଳୁ ଗୋଦାମରେ ସୁଶାନ୍ତ ମ୍ୟାନେଜର ଅଛନ୍ତି । ସେ ଆଜି ଅପରାହ୍ନରେ ଗୋଦାମରୁ ୯ଲକ୍ଷ ଟଙ୍କା ଗୋଟିଏ ବ୍ୟାଗରେ ନେଇ ଶ୍ୟାମସୁନ୍ଦରପୁର ଛକ ଦେଇ କେନ୍ଦ୍ରାପଡା ସହରରେ ଥିବା ଏଚ.ଡି.ଏଫ.ସି. ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ । ସେ ଦୈତାରୀ – ପାରାଦୀପ ଜାତୀୟ ରାଜପଥର ବିଶ୍ୱାଳ ଢାବା ନିକଟରେ ହୋଇଥିବା ବେଳେ ପଛପଟୁ ଦୁଇଜଣ ଦୁର୍ବୃତ ଗୋଟିଏ ବାଇକରେ ଆସି ଏକ ଭୂଜାଲିରେ ପଛପଟ ତାଙ୍କ ମୁଣ୍ଡକୁ ଚୋଟ ମାରିଥିଲେ । ଫଳରେ ସୁଶାନ୍ତ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ଟଳି ପଡିଥିଲେ । ଏତିକିବେଳେ ଦୁର୍ବୃତମାନେ ଟଙ୍କା ବ୍ୟାଗ ଧରି ସେଠାରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସୁଶାନ୍ତଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଖବରପାଇ କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ ଓ ସଦର ଥାନା ଅଧିକାରୀ ପୋଲିସ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ଏ ସମ୍ପର୍କରେ ଏସଡିପିଓ ଶ୍ରୀ ମଲ୍ଲିକଙ୍କୁ ପଚାରାଯିବାରେ ସେ କହିଥିଲେ ଯେ ଲୁଟ କରିବା ପରେ ଦୁର୍ବୃତମାନେ ଦୁହୁରିଆ ଆଡକୁ ପଳାଇଯାଇଛନ୍ତି । ଆମେ ନିକଟରେ ଥିବା ସିସି ଟିଭି ଫୁଟେଜକୁ ଯାଂଚକରି ତଦନ୍ତ କରୁଛୁ । ଖୁବଶୀଘ୍ର ଦୁର୍ବୃତମାନଙ୍କୁ ଗିରଫ କରାଯିବ ।