କେନ୍ଦ୍ରାପଡ଼ା, ୨୬/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରର ବଳଗଣ୍ଡିସ୍ଥିତ ଆର୍ଯ୍ୟାନ ଡାଇଗ୍ନୋଷ୍ଟିକ ସେଂଟର ଉପରେ ଚଢାଉ କରାଯାଇ ସେଠାରୁ ଜନୈକ ନକଲି ଡାକ୍ତରକୁ ଗିରଫ କରାଯାଇଛି । ଜିଲାପାଳଙ୍କ ନିର୍ଦେଶ କ୍ରମେ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ ଓ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ପୋଲିସ ଫୋର୍ସ ସହିତ ଆଜି ସହରର ବଳଗଣ୍ଡିସ୍ଥିତ ଆର୍ଯ୍ୟାନ ଡାଇଗ୍ନୋଷ୍ଟିକ ସେଂଟର ଉପରେ ଚଢାଉ କରିଥିଲେ । ସେହି ସେଂଟରରେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କୁ ଚିକିତ୍ସା କରୁଥିବା ନକଲି ଡାକ୍ତର ବଳଗଣ୍ଡି ଅଂଚଳର ଅମୂଲ୍ୟ ନାୟକଙ୍କୁ ପୋଲିସ ଗିରଫ କରିଛି । ରୋଗୀଙ୍କୁ ଚିକିତ୍ସା କରିବା ସହିତ ରୋଗୀଙ୍କ ରକ୍ତ, ମଳ, ମୂତ୍ର, ଗର୍ଭ ପ୍ରଭୃତି ପରୀକ୍ଷା କରୁଥିଲେ ।
ପଟ୍ଟାମୁଣ୍ଡାଇରୁ ଏକ ଲାବରୋଟୋରୀ ଉପରେ ଚଢାଉ କରାଯାଇ ତା’ର କୌଣସି କାଗଜପତ୍ର ନଥିବା ଜଣାପଡିବା ପରେ ଜିଲାପାଳ ଶ୍ରୀ ମୟୁର ବିକାଶ ଙ୍କ ନିର୍ଦ୍ଧେଶରେ ଉପଜିଲାପାଳ ଶ୍ରୀ୍ର ପ୍ରଧାନ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ମିଶ୍ର, ଏସଡିପିଓ ଶ୍ରୀ ମଲ୍ଲିକ ପ୍ରମୁଖ ଏହି ଚଢାଉ କରିଥିଲେ । ଏହି ଟିମ ସହରରେ ଚାଲୁଥିବା ଅନ୍ୟ ଡାଇଗ୍ନୋଷ୍ଟି ସେଂଟର ଗୁଡିକ ଉପରେ ମଧ୍ୟ ଚଢଉ କରିଥିଲା । ଚଢାଉ ପରେ ଜଣାପଡିଥିଲା ଯେ ଆର୍ଯ୍ୟାନ ଡାଇଗ୍ନୋଷ୍ଟିକ ସେଂଟରରେ ରୋଗୀଙ୍କୁ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କର କୌଣସି ଡାକ୍ତରୀ ପ୍ରମାଣପତ୍ର ନାହିଁ । ତେଣୁ ପୋଲିସ ନକଲି ଡାକ୍ତର ଅମୂଲ୍ୟ ନାୟକଙ୍କୁ ଗିରଫ କରିବା ସହ ସଂପୃକ୍ତ ଡାଇଗ୍ନୋଷ୍ଟିକ ସେଂଟରକୁ ସିଲ କରି ଦେଇଛି । ଏହି ଟିମ ସହରର ବିଭିନ୍ନ ପାଥୋଲାବ ଓ ଡାଇଗ୍ନୋଷ୍ଟିକ ସେଂଟର ଉପରେ ମଧ୍ୟ ଚଢଉ କରିଛି ।
