ଉତ୍ସବ ଋତୁରେ ବିକ୍ରେତାଙ୍କ ଅଭିବୃଦ୍ଧି ସୁଦୃଢ଼ କରିବ ଆମାଜନ ଇଣ୍ଡିଆ।

ଭୁବନେଶ୍ୱର, ୧୯ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ଉତ୍ସବ ଋତୁରେ ଇ-କମର୍ସରେ ଓଡ଼ିଶାର ବିକ୍ରେତାଙ୍କ ଅଭିବୃଦ୍ଧି କରିବାକୁ ଦେଶର ଅଗ୍ରଣୀ ଅନଲାଇନ ସପିଂ କମ୍ପାନୀ ଆମାଜନ ପ୍ରତିବଦ୍ଧ ବୋଲି ଆଜି ସୂଚନା ଦେଇଛନ୍ତି ଆମାଜନ ଇଣ୍ଡିଆ ର ବିକ୍ରୟ ନିର୍ଦ୍ଦେଶକ ଗୌରବ ଭଟ୍ଟନାଗର। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ମେ-ଫେୟାର ଲାଗୁନ ପରିସରରେ କମ୍ପାନୀ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଭଟ୍ଟନାଗର କମ୍ପାନୀର ବିଭିନ୍ନ ସ୍କିମ ଉପରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଛନ୍ତି। ବିକ୍ରେତା ଙ୍କ ପାଇଁ ବ୍ୟବସାୟ ଅଭିବୃଦ୍ଧିକୁ ସୁଦୃଢ଼ କରିବା ଲାଗି ବିବିଧ ଉତ୍ପାଦ ବର୍ଗ ଯଥା, ଗ୍ରୋସରୀ, ଫ୍ୟାସନ ଏବଂ ଇଲେକ୍ରୋନିକ୍ସ ଉତ୍ପାଦ ବିକ୍ରୟ ଶୁଳ୍କରେ ୩℅ ରୁ ୧୨% ପର୍ଯ୍ୟନ୍ତ ହ୍ରାସ ଘୋଷଣା କରିଛନ୍ତି। ଚଳିତବର୍ଷ ରାଜ୍ୟର ୧୬,୦୦୦ରୁ ଉର୍ଦ୍ଧ୍ବ ବିକ୍ରେତା ଆମାଜନ ଡ଼ଟ ଇନ ରେ ସେମାନଙ୍କ ଉତ୍ପାଦ ଗୁଡିକୁ ତାଲିକାଭୁକ୍ତ କରି ପ୍ରଦର୍ଶିତ କରିବା ଏବଂ ଭାରତର ଶତ ପ୍ରତିଶତ ସେବାଯୋଗ୍ୟ ପିନକୋଡ଼ରେ ସେମାନଙ୍କ ଗ୍ରାହକଙ୍କ ନିକଟରେ ପହଁଚିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି। ଏଥି ସହିତ ଭିତ୍ତିଭୂମି କ୍ଷେତ୍ରରେ ଏହି ପୁଞ୍ଜିନିବେଶ ଓଡ଼ିଶାର ବିକ୍ରେତା ମାନଙ୍କୁ ଶତ ପ୍ରତିଶତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ରାଜ୍ୟରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି କହିଛନ୍ତି। ଆମାଜନ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି (ଏଆଇ) ଏବଂ ମେସିନ ଲର୍ଣିଂ(ଏମଏଲ) ର ଶକ୍ତିର ଉପଯୋଗ କରି ବିକ୍ରେତା ଙ୍କୁ ପଞ୍ଜିକରଣ, ତାଲିକାଭୁକ୍ତ ଏବଂ ବିଜ୍ଞାପନ, ପୂର୍ବାନୁମାନ ଚାହିଦା, କ୍ୟାଟଲଗ ଗୁଣବତା ଏବଂ ଉତ୍ପାଦ ତାଲିକାରେ ଉନ୍ନତି ଆଣିବା ଏବଂ ଡିଲ ଓ ପ୍ରମୋଶନସୁପାରିଶ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ  ବ୍ୟବସ୍ଥିତ କରିବାରେ ସାହାଯ୍ୟ କରୁଛି ବୋଲି ପ୍ରକାଶ କରିଛନ୍ତି।

 

Leave a Reply

Your email address will not be published. Required fields are marked *