‘ଶିକ୍ଷା ସପ୍ତାହ’ର ପଞ୍ଚମ ଦିବସ

#      ‘ଦକ୍ଷତା ଓ ଡ଼ିଜିଟାଲ ପ୍ରୋତ୍ସାହନ ଦିବସ’ ଭାବେ ପାଳିତ

#      ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବ ଡ଼ିଜିଟାଲ ଜ୍ଞାନକୌଶଳ

ଭୁବନେଶ୍ୱର, ୨୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶାକ୍ରମେ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୭ ଦିନ ବ୍ୟାପୀ ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି । ଏହି କ୍ରମରେ ଶୁକ୍ରବାର ପଞ୍ଚମ ଦିବସଟିକୁ ‘ଦକ୍ଷତା ଓ ଡ଼ିଜିଟାଲ ପ୍ରୋତ୍ସାହନ ଦିବସ’ ଭାବେ ପାଳନ କରାଯାଇଛି ।

        ଦକ୍ଷତା ବିକାଶ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ହେଉଛି ‘ଦକ୍ଷତା ଓ ଡ଼ିଜିଟାଲ ପ୍ରୋତ୍ସାହନ ଦିବସ’ ପାଳନର ମୁଖ୍ୟ ଉଦେଶ୍ୟ । ଜାତୀୟ ଶିକ୍ଷାନୀତି-୨୦୨୦ରେ ଦକ୍ଷତା ବିକାଶ ଶିକ୍ଷାକୁ ମୁଖ୍ୟ ପାଠ୍ୟକ୍ରମରେ ଅର୍ନ୍ତଭୁକ୍ତ କରିବା ପାଇଁ ପ୍ରୟାସ କରାଯାଇଛି । ତେବେ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ବିଦ୍ୟାଳୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନରେ କର୍ମଶାଳାର ଆୟୋଜନ, ଐତିହାସିକ ସ୍ଥାନ ପରିଦର୍ଶନ, ପରିବେଶ ସଚେତନତା କାର୍ଯ୍ୟକ୍ରମ, କୋଡ଼ିଂ, ମିଡ଼ିଆ ଓ ମନୋରଞ୍ଜନ, ବାଉଁଶକଳା, ମାଟି ପରୀକ୍ଷଣ, ପ୍ରାଥମିକ ଚିକିତ୍ସା କର୍ମଶାଳା ଆଦିର ଆୟୋଜନ କରାଯାଇଥିଲା । ଏହାସହ ବିଭିନ୍ନ ବିଦ୍ୟାଳୟରେ ଦକ୍ଷତା ବିକାଶ ସମ୍ବନ୍ଧୀୟ େୱବିନାରର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଦିବସ ପାଳନ ଦ୍ୱାରା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତମାନଙ୍କ ମଧ୍ୟରେ ଦକ୍ଷତା ଶିକ୍ଷା ପ୍ରତି ସଚେତନତା ଓ ଆଗ୍ରହ ବୃଦ୍ଧି ପାଇଛି ।

        ଡ଼ିଜିଟାଲ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷାରେ ସମାନତା, ଗୁଣବତ୍ତା ବୃଦ୍ଧି ପାଇବ । ଏଥିସହିତ ଶିକ୍ଷାଦାନ ଏବଂ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଉନ୍ନତି ଆଣିବା, ସମୃଦ୍ଧ ଶିକ୍ଷଣ ପଦ୍ଧତି ପ୍ରସ୍ତୁତି ଏବଂ ବୃତ୍ତିଗତ ବିକାଶକୁ ସମର୍ଥନ କରିବା, ଯୋଜନା ପରିଚାଳନା, ଉପସ୍ଥାପନା, ପ୍ରଶାସନିକ ବ୍ୟବସ୍ଥାକୁ ସରଳ କରିବା ପାଇଁ ଡ଼ିଜିଟାଲ ଜ୍ଞାନକୌଶଳର ବ୍ୟବହାରକୁ ବୃଦ୍ଧି କରାଯିବ । ଫଳରେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ । ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଓ ଆଗ୍ରହକୁ ଧ୍ୟାନ ଦେଇ ବିଭିନ୍ନ ଦକ୍ଷତା ବିକାଶ ପଦକ୍ଷେପ ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *