ବିଶ୍ୱ ମାତୃଭାଷା ଦିବସ ପାଳିତ :

                                ମାତୃଭାଷା ପରିପ୍ରେକ୍ଷୀରେ ଓଡ଼ିଶାର ସ୍ଥାନ ମହନୀୟ : ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ

       ଭୁବନେଶ୍ୱର, ୨୧/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱ ମାତୃଭାଷା ଦିବସ ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବିଶ୍ୱ ମାତୃଭାଷା ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ମାତୃଋଣ କେତେବେଳେ ବି ପରିଶୋଧ କରାଯାଇପାରେ ନାହିଁ । ମା’, ମାତୃଭୂମି ଓ ମାତୃଭାଷା ଚିରବନ୍ଦନୀୟା । ଏହି ଦିବସ ୧୯୯୯ରୁ ଘୋଷିତ ହୋଇଥିଲେ ମଧ୍ୟ ୨୦୦୦ ମସିହାଠାରୁ ବିଶ୍ୱବ୍ୟାପୀ ପାଳିତ ହେଉଅଛି । ମାତୃଭାଷା ପରିପ୍ରେକ୍ଷୀରେ ଓଡ଼ିଶାର ସ୍ଥାନ ମହନୀୟ । ମାତୃଭାଷା ଦିବସ ଘୋଷଣା ହେବାର ୧୦୦ବର୍ଷ ପୂର୍ବରୁ ଓଡ଼ିଆ ଭାଷାକୁ ନେଇ ଓଡ଼ିଶାରେ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଓଡ଼ିଶା ସର୍ବଭାରତୀୟ କ୍ଷେତ୍ରରେ ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବରେ ମାନ୍ୟତା ପାଇଛି ଏବଂ ଓଡ଼ିଆ ଷଷ୍ଠ ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ଲାଭକରିଛି ବୋଲି ସେ ଉଲ୍ଲେଖ କରିଥିଲେ ।

        ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦାନ କରି ଓଡ଼ିଆ ଭାଷାର ଐତିହ୍ୟ ଓ ପରମ୍ପରା ସଂପର୍କରେ ଉଲ୍ଲେଖ କରିବା ସହ ବିଶ୍ୱ ସାହିତ୍ୟରେ ଦେଖାଦେଇଥିବା ବହୁଭାଷିକତା କିପରି ଆମର ସମାଜ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରେ, ତାହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଡକଫର ପ୍ରମୋଦ କୁମାର ଦ୍ୱିବେଦୀ ଆଲୋଚକ ଭାବେ ଯୋଗଦାନ କରି ଓଡ଼ିଆ ଭାଷାର ଦେଖାଦେଇଥିବା ସମସ୍ୟା ଓ ତା’ର ନିରାକରଣ ଦିଗରେ ନିଜସ୍ୱ ମତ ପ୍ରଦାନ କରିଥିଲେ । ଡକଫର ରମେଶ ଚନ୍ଦ୍ର ମଲ୍ଲିକ ବହୁଭାଷୀ ଶିକ୍ଷା ବ୍ୟବସ୍ଥା ଅନ୍ତର୍ପିଢ଼ୀୟ ଜ୍ଞାନ ଆହରଣ ଓ ପାରମ୍ପରିକ ଜ୍ଞାନର ସଂରକ୍ଷଣର ସୋପାନ ବୋଲି ଅଭିହିତ କରିଥିଲେ । ଓଡ଼ିଶା ଏକମାତ୍ର ରାଜ୍ୟ ଯାହାର ତିନୋଟି ଭାଷା ଓଡ଼ିଆ, ସାନ୍ତାଳୀ ଓ ମୁଣ୍ଡାରୀ ସମ୍ବିଧାନରେ ସ୍ଥାନ ପାଇଥିବା କଥା ସେ କହିଥିଲେ । ଡକଫର ମିହିର କୁମାର ସାହୁ ନିଜସ୍ୱ ଅଭିଜ୍ଞତାକୁ ଆଧାରକରି ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି କାମନା କରିଥିଲେ ।

        ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ରାଧାରାଣୀ ସରକାର ନବରଙ୍ଗପୁରର ଭାଷିକ ବୈଚିତ୍ର୍ୟ ବର୍ଣ୍ଣନା କରିବା ସହିତ ଓଡ଼ିଆ ଭାଷାର ମହାନତା ସ୍ୱୀକାର କରିଥିଲେ । ଏହି ଉତ୍ସବରେ ସୋନାଲି ଓ ସୁପ୍ରିୟା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଡକଫର ଫଣୀନ୍ଦ୍ର ଭୂଷଣ ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ମତ ପ୍ରଦାନ କରିଥିଲେ । ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ମଞ୍ଚ ସଞ୍ଚାଳନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *