କେନ୍ଦ୍ରାପଡ଼ା, ୧୯/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାକୁ ଡ଼େଙ୍ଗୁ ଓ ମାଲେରିଆ ରୋଗ ମୁକ୍ତ କରିବା ଆମର ଲକ୍ଷ୍ୟ ବୋଲି ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ଜିଲା ସ୍ତରୀୟ ବୈଷୟିକ ଟାକ୍ସଫୋର୍ସ ବୈଠକରେ ଅଧ୍ୟକ୍ଷତାକରି ମତବ୍ୟକ୍ତ କରିଛନ୍ତି । ମୈାସୁମୀ ବର୍ଷାର ପ୍ରାରମ୍ଭରେ ମଶା ବଂଶ ବୃଦ୍ଧି ହୋଇଥାଏ । ମାଇ ଏନୋଫିଲିସ ଓ ଏଡିଶ ମଶା ଯୋଗୁଁ ମାଲେରିଆ ଓ ଡେଙ୍ଗୁ ରୋଗ ବ୍ୟାପି ଥାଏ । ଏହାର ଚିକିତ୍ସା ଅବହେଳା ହେଲେ ମୃତୁ୍ୟର ସମ୍ଭାବନା ଥାଏ । ଏହି ବର୍ଷା ଋତୁରେ ମଧ୍ୟ ଡାଇରିଆ ରୋଗ ହୋଇଥାଏ । ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକ ଯୋଗଦେଇ ଡେଙ୍ଗୁ ଓ ମାଲେରିଆ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକକୁ ଅବଗତ କରାଇଥିଲେ । ସେ ପାୱାର ପଏନ୍ଟ ମାଧ୍ୟମରେ ୨୦୨୪ଜୁଲାଇ ୧୦ତାରିଖ ସୁଦ୍ଧା ଜିଲାରେ ପଞ୍ଜିକୃତ ହୋଇଥିବା ମୋଟ ୪୧ଜଣ ମାଲେରିଆ ରୋଗୀ ଓ ୯ଜଣ ଡେଙ୍ଗୁ ରୋଗୀଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଜିଲାର ମାର୍ଶାଘାଇ ଓ ମହାକାଳପଡା ବ୍ଲକରେ ମାଲେରିଆ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସଂପୃକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦିଆଯାଇଥିଲା । ଜିଲାକୁ ଆସିଥିବା ୯ଜଣ ପ୍ରବାସୀଙ୍କ ଶରୀରରେ ଡେଙ୍ଗୁ ରୋଗର ଲକ୍ଷଣ ପ୍ରକାଶ ପାଇଥିବା ସେ ପ୍ରକାଶ କରିଥିଲେ । ରାଜ୍ୟ ସରକାର ୨୦୩୦ମସିହା ସୁଦ୍ଧା ଓଡିଶାକୁ ମାଲେରିଆ ମୁକ୍ତ ରାଜ୍ୟ ଭାବେ ପରିଗଣନା କରିବାକୁ ଲକ୍ଷ୍ୟ ରଖିଥିବା ବେଳେ କେନ୍ଦ୍ରାପଡା ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମଧ୍ୟ କେନ୍ଦ୍ରାପଡାକୁ ଡେଙ୍ଗୁ ଓ ମାଲେରିଆ ମୁକ୍ତ କରିବାକୁ ପ୍ରୟାସ ଜାରି ରଖିଛି ବୋଲି ଡା. ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଶୂନ୍ୟ ମୃତୁ୍ୟକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଂଚଳ ଓ ସହରାଂଚଳରେ ଏଥିପାଇଁ ଆଶାକର୍ମୀ ଓ ଏଏନଏମ୍ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ସେମାନଙ୍କୁ ରକ୍ତ ନମୁନା ପରୀକ୍ଷା ପାଇଁ କିଟସ୍ ପ୍ରଦାନ କରାଯାଇଛି । ସେମାନେ ଘରକୁ ଘର ବୁଲି ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା କରି ଆରୋଗ୍ୟ ଲାଭ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଏବଂ ଆବଶ୍ୟକ ହେଲେ ଲୋକମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି । ମଶାରି ଟାଣି ଶୋଇବା, ଦୂଷିତ ଜଳ ଜମିବାକୁ ନଦେବା, ଘରପାଖ ପରିବେଶକୁ ପରିସ୍କାର ଓ ପରିଛନ୍ନ ରଖିବା ପାଇଁ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ୱେଛାସେବୀ ସଂଗଠନ ଓ ବିଭାଗର ମିଳିତ ସହଯୋଗରେ ଜିଲାକୁ ଡେଙ୍ଗୁ ଓ ମାଲେରିଆ ମୁକ୍ତ କରିହେବ ବୋଲି ବୈଷୟିକ କମିଟିର ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡା. ପ୍ରମୋଦ ପ୍ରହରାଜ, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଡିଏଚଏଚ ପ୍ରଶାସନିକ ଅଧିକାରୀ ଆଦ୍ୟାଶା ରଥ, ଡା. ନୃପେନ ଶତପଥୀ, ଡା. କିଶୋର ମିଶ୍ର, ଡା. ପ୍ରଦୀପ କୁମାର ଦାସ, ଡା. ନିରଞ୍ଜନ କର, ଡା. ରଶ୍ମିରଞ୍ଜନ ମହାନ୍ତି. ଡିପିଏସ ଗୀତାଞ୍ଜଳି ଦାସ, ନର୍ସିଂ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷା ଭାରତୀ ସ୍ୱାଇଁ, ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲା ସମାଜ ମଙ୍ଗଳ ଅଧିକାରୀ, କୃଷ୍ଣ ଚନ୍ଦ୍ର ଲୋହା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ନେଚର୍ସ କ୍ଲବର ବିରଜା ପତି, ବିଭିନ୍ନ ସ୍ୱେଛାସେବୀ ସଂଗଠନର କର୍ମକର୍ତା, ସ୍ୱାସ୍ଥୟ ସମିତି କର୍ମକର୍ତା, ଡିପିଏଚସିଓ ମିନତୀ ମହାପାତ୍ରଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀମାନେ ଉପସ୍ଥିତ ଥିଲେ ।