ଯାଜପୁର ,୧୬/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) : ମଙ୍ଗଳବାର ପୂର୍ବାହ୍ନରେ ବରୀ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।
ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ସେମାନଙ୍କ ନିକଟରେ ହାତ ପାଆନ୍ତାରେ ସେମାନଙ୍କ ବିଭିନ୍ନ ଆପତ୍ତି, ଅଭିଯୋଗ ଏବଂ ସମସ୍ୟା ଗୁଡ଼ିକର ସମାଧାନ କରି ଜନସାଧାରଣ ଙ୍କ ଜୀବନ ନିର୍ବାହ ସୁଗମ କରିବାସହ ସେମାନଙ୍କୁ ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ କରି ଆର୍ଥିକ ପ୍ରଗତି ସୃଷ୍ଟି କରି ଏକ ବିକାଶଶୀଳ ଜିଲ୍ଲା, ରାଜ୍ୟ ଓ ରାଷ୍ଟ୍ର ଗଠନରେ ଜନ ଅଭିଯୋଗ ଶୁଣାଣି ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଆଜି ଶିବିରରେ ପ୍ରକାଶ କରିବା ସହ ସମସ୍ତ ଅଧିକାରୀ ନିଷ୍ଠାପର ଭାବେ କର୍ତ୍ତବ୍ୟ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ।
ସୁପାରିଶ କରାଯାଉଥିବା ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ତୁରନ୍ତ ସମାଧାନ କରି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ଅଭିଯୋଗ ପ୍ରକୋଷ୍ଠରେ ମୋଟ ୧୩୦ଗୋଟି ଅଭିଯୋଗ ଆସିଥିବାବେଳେ, ବ୍ୟକ୍ତିଗତ ଅଭିଯୋଗ ୬୬ ଗୋଟି, ସମୂହ ଅଭିଯୋଗ ୦୮ଗୋଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ଜନିତ ୩୩ଗୋଟି, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ ୨୩ଗୋଟି ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ୫୮ ଗୋଟି ଅଭିଯୋଗର ଜନଶୁଣାଣୀ ଶିବିରରେ ତ୍ୱରିତ ସମାଧାନ କରିଥିଲେ।
ଶିବିରରେ ୨୨ଜଣ ଅଭିଯୋଗକାରୀ ଦରଖାସ୍ତ ପଞ୍ଜିକରଣ କରି ଅନୁପସ୍ଥିତ ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ନ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ଵେହୁରିଆ,ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ,ବି ଡି ଓ, ବରୀ ଶ୍ରୀ ପଞ୍ଚାନନ ମଲ୍ଲିକ, ତହସିଲଦାର ବରୀ ଶ୍ରୀ ଲୋକନାଥ ପ୍ରସାଦ ସେଠୀ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।
