ମୁଖ୍ୟଶାସନସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

  • ଆଗାମୀ ସାଧାରଣ ବଜେଟ୍ ଉପସ୍ଥାପନ ସଂପର୍କିତ ଆଲୋଚନା
  • ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ମୁଖ୍ୟଶାସନସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷକରି ଓଡ଼ିଶାରେ ଆଗାମୀ ୨୦୨୪-୨୫ ସାଧାରଣ ବଜେଟ ଉପସ୍ଥାପନାର ରୂପରେଖ କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା।ଏଥି ସହିତ ଆଗାମୀ ଜୁଲାଇ ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା  “ନୀତି ଆୟୋଗର୯ତମ ସାଧାରଣ ପରିଷଦ ବୈଠକ” ଏବଂ ନଭେମ୍ବର ୨୦୨୪ରେ ହେବାକୁ ଥିବା “ ୪ର୍ଥ ଜାତୀୟ ମୁଖ୍ୟଶାସନ ସଚିବ ମାନଙ୍କ ସମ୍ମିଳନୀ” ରେ ଆଲୋଚ୍ୟ ପ୍ରସଙ୍ଗ “ବିକଶିତ ଭାରତ @ ୨୦୪୭” ପରିପ୍ରେକ୍ଷୀରେ ରାଜ୍ୟର କାର୍ଯ୍ୟସୂଚୀ (ଏଜେଣ୍ଡା) ସଂପର୍କିତ ତଥ୍ୟ ପ୍ରଦାନ କରିବା ସଂପର୍କରେ ଆଲୋଚନା କରାଯାଇଥିଲା।

ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ‘ ନିରନ୍ତର ବିକାଶ ଲକ୍ଷ୍ୟ-ଭାରତ-ସୂଚକାଙ୍କ-୨୦୨୩-୨୪’ରେ ଓଡ଼ିଶାର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯିବାସହ ବିକଶିତ ଭାରତ, ନିରନ୍ତର ବିକାଶ ଓ ସାମଗ୍ରିକ ଅଭିବୃଦ୍ଧି ଲକ୍ଷ୍ୟରେ ରହିଥିବା ବିଭିନ୍ନ ମାନଦଣ୍ଡରେ ପ୍ରଦର୍ଶନରେ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା କରାଯାଇଛି ।  ବୈଠକରେ କ୍ଷୁଧାମୁକ୍ତ ସମାଜ, ଉତ୍ତମ ସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ନାରୀ-ପୁରୁଷ ସମାନତା, ବିଶୁଦ୍ଧ ପାନୀୟଜଳ, ସମନ୍ୱିତ ଜଳସେଚନ, ଜଳବାୟୁ ପରିବର୍ତ୍ତନ କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ଗ୍ରହଣ ଆଦି ବିଭିନ୍ନ ପ୍ରସଙ୍ଗରେ  ଆଲୋଚନା କରାଯାଇଥିଲା । ଏଥି  ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ଜୁନ୍-୨୦୨୪ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇଥିଲା।୫ବର୍ଷିଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ,୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର୧୦୦ବର୍ଷ ପୂର୍ତ୍ତି, ୨୦୪୭ରେ ସ୍ୱାଧୀନତାର୧୦୦ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟରଖି ବିକାଶର ଆଭିମୁଖ୍ୟ କିପରି ରହିବ, ସେଥିପାଇଁ ସହଭାଗୀ ଓ ବିଶେଷଜ୍ଞ ମାନଙ୍କ ସହ ବିଚାର ବିମର୍ଶ କରିବା ପାଇଁ ମୁଖ୍ୟଶାସନସଚିବ ଶ୍ରୀ ଆହୁଜା ଗୁରୁତ୍ୱ ଦେଇଛନ୍ତି।

          ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି, କୃଷି, ଶିକ୍ଷା,ଜଳସେଚନ, ଶିଳ୍ପାନୁକୂଳ ସହଜ ବାତାବରଣ, ଲୋକଙ୍କ କଲ୍ୟାଣ, ଭିତ୍ତିଭୂମିର ବିକାଶ, ନିଯୁକ୍ତି ସୁଯୋଗ  ଆଦି ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱଦେବାକୁ ମୁଖ୍ୟଶାସନ ସଚିବ ଶ୍ରୀ ଆହୁଜା ସଚିବ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ବିଭିନ୍ନ କାର୍ଯ୍ୟ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଯେଉଁଠି ଆନ୍ତଃ ବିଭାଗୀୟ ସମନ୍ୱୟର ଆବଶ୍ୟକତା ରହୁଛି, ସେ କ୍ଷେତ୍ରରେ ପାରସ୍ପରିକ ଆଲୋଚନା କରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ଏବଂ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗ ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଶୁ ସମାଧାନ ପାଇଁ ସେ ମଧ୍ୟ ସମସ୍ତ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାରସିଂ, ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନସଚିବ, କମିଶନର ତଥା ଶାସନ ସଚିବ ଓସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

()

Leave a Reply

Your email address will not be published. Required fields are marked *