ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ ୨୦୨୪ ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ

ଜଗତସିଂପୁର ୧୦/୭/୨୦୨୪ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ ୨୦୨୪ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା କହିଲେ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି ଯୋଜନାରେ ଚଳିତ ଖରିଫ ଋତୁ ଠାରୁ ଫସଲ ବୀମା ପଞ୍ଜୀକୃତ ହେବା ପାଇଁ ଚାଷୀଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ପ୍ଲଟ ପିଛା ମାତ୍ର ଏକ ଟଙ୍କା ଦେବାକୁ ପଡିବ। ୨ ହେକ୍ଟର ପର୍ଯ୍ୟନ୍ତ ଚାଷୀ ମାନଙ୍କର ବୀମା ପ୍ରିମିୟମ ରାଜ୍ୟ ସରକାର ବହନ କରିବେ।ଜଣେ ଚାଷୀ ୨ ହେକ୍ଟର ରୁ ଅଧିକ ଜମି ପଞ୍ଜିକରଣ କରିବାକୁ ଚାହୁଁଥିଲେ ୨ ହେକ୍ଟର ପର୍ଯ୍ୟନ୍ତ ପ୍ଲଟ ପିଛା ୧ ଟଙ୍କା ହିସାବରେ ଏବଂ ଅଧିକ ଜମି ପାଇଁ ନିର୍ଦ୍ଧାରିତ ପ୍ରିମିୟମ ଦର ଦେବାକୁ ପଡିବ।କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ଭାରତ ସରକାରଙ୍କ ଅଭିନବ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ୟତମ।ଏହି ଯୋଜନାରେ ଫସଲ ନଷ୍ଟ ହେଲେ ବୀମା ଆବରଣ ଯୋଗାଇ ଦିଏ ଏବଂ ଚାଷୀର ଆର୍ଥିକ ଓ ସାମାଜିକ ମେରୁଦଣ୍ଡକୁ ସୁଦୃଢ କରିଥାଏ। ଏହି ବର୍ଷ ଖରିଫରେ ୨ ହେକ୍ଟର ପର୍ଯ୍ୟନ୍ତ ବୀମା ପ୍ରିମିୟମ ସରକାର ବହନ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଖରିଫ ଋତୁ ପାଇଁ ଜଗତସିଂହପୁର ଜିଲ୍ଲା ପାଇଁ ଧାନ ଫସଲରେ ବୀମା ହୋଇପାରିବ।ଏହି ଯୋଜନାରେ ପଞ୍ଜୀକୃତ କରାଇବାର ଅନ୍ତିମ ତାରିଖ ହେଉଛି ୩୧.୦୭.୨୦୨୪ ରିଖ। ତେଣୁ ଜଗତସିଂହପୁର ଜିଲ୍ଲାର ସମସ୍ତ ରୁଣି ଓ ଅଣରୁଣି ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ଯେ ନିଜର ଫସଲ ସୁରକ୍ଷା ହେତୁ ନିକଟସ୍ଥ ବ୍ୟାଙ୍କ୍ ଜନସେବା କେନ୍ଦ୍ର ,ବ୍ଲକ ଇନସୁରାନ୍ସ ଏଜେଣ୍ଟ ବା କୃଷି ବିଭାଗକୁ ଯୋଗାଯୋଗ କରି ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ସରକାରଙ୍କର ଏହି ଅଭିନବ ଯୋଜନାର ଲାଭ ଉଠାନ୍ତୁ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ରାଉତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପୁର୍ନେନ୍ଦୁ ଆଚାର୍ଯ୍ୟ, ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଅନିଲ କୁମାର ପ୍ରଧାନ, ଡି ଡି ଏମ, ନାବାର୍ଡ ବିଶ୍ୱ ଭୂଷଣ ମହାନ୍ତି, ଏ ଆର ସି ଏସ, ଉପନିର୍ଦେଶକ, ଯୋଜନା ଓ ପରିସଂଖ୍ୟାନ ସବିତା ସାହୁ, ରିଲାଏନ୍ସ ଡିଷ୍ଟ୍ରିକଟ ମ୍ୟାନେଜର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *