ଡିଭାଇନ୍ ରିଟ୍ରିଟ୍ ସେଣ୍ଟର ର ଉଦ୍‌ଘାଟନ ସମାରୋହ ଏବଂ ଜୀବନଶୈଳୀର ଏକ ଜାତୀୟ ଅଭିଯାନ (Lifestyle For Sustainability) ର ଶୁଭାରମ୍ଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଜୟ ଜଗନ୍ନାଥ,

          ଆପଣ ମାନଙ୍କୁ ସମସ୍ତଙ୍କୁ ପବିତ୍ର ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡିଶା ହେଉଛି ପ୍ରଭୁ ଜଗନାଥଙ୍କ ଦେଶ, ଏହାର କୋଣ ଅନୁକୋଣରେ ଭରିରହିଛି ଆଧ୍ୟାତ୍ମିକତାର ଭାବ। ଆଜିର ଏହି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଭୁଙ୍କ ଅପାର କରୁଣାରୁ ଏହି Divine Retreat Centre ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେଉଛି, ଏବଂ ମହାମହିମ ରାଷ୍ଟ୍ରପତି ଯିଏ ଜଣେ ଅତ୍ୟନ୍ତ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ, ତାଙ୍କ କର କମଳରେ ଉତଘାଟିତ ହେଉଛି। ଏହାଠାରୁ ଅଧିକ ଆନ୍ଦନର ବିଷୟ ବା କ’ଣ ହୋଇପାରେ।

ମୋର ପରମ ସୌଭାଗ୍ୟ ଯେ ଏହି ଆଧ୍ୟାତ୍ମିକତାର ଏକ ଅଂଶ ବିଶେଷ ମୁଁ ହୋଇପାରିଛି।

          ଆଜିର ଏହି କାର୍ଯ୍ୟକ୍ରମକୁ କେବଳ ଏକ ଅନୁଷ୍ଠାନ କି ସେବା ଅଭିଯାନର  ଉଦ୍ଘାଟନୀ ଉତ୍ସବ ଭାବେ ବିବେଚନା କରିବା ଅନୁଚିତ। ସାଂପ୍ରତିକ ବିଶ୍ଵ ପରିବେଶର ଦୃତ ଅବକ୍ଷୟ ତଥା ପ୍ରାକୃତିକ ସମ୍ପଦର ଅକଳ୍ପନୀୟ ଦୋହନ ଦ୍ଵାରା ଯେଉଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଉଛି, ସେଥିପାଇଁ ସଚେତନତା ଓ କାର୍ଯ୍ୟକ୍ରମ ପାଇଁ ଏହି ରାଷ୍ଟ୍ରୀୟ ଅଭିଯାନ “Lifestyle for Sustainability” ଉଦ୍ଦିଷ୍ଟ।

          ଆଜିର ଏହି କାର୍ଯ୍ୟକ୍ରମରେ ଅନେକ ପ୍ରଶ୍ନ ପଚାରିବା ସ୍ୱାଭାବିକ ଯେ ଆଧ୍ୟାତ୍ମିକତା ସହିତ ପ୍ରକୃତିର କି ସମ୍ପର୍କ ରହିଛି। ମୋତେ ଯଦି ପଚରାଯିବ ତା ହେଲେ ମୁ କହିବି ଏହା ଅଙ୍ଗାଙ୍ଗିଭାବେ ଜଡିତ। ପ୍ରକୃତି ଉପରେ ଆମ ଚେତନା ଶକ୍ତିର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରମାତ୍ମା ନିଜର ଚେତନା ଶକ୍ତି ବଳରେ ପ୍ରକୃତିକୁ ନିୟନ୍ତ୍ରଣ କରିଥାନ୍ତି। ସେଥିପାଇଁ ମନୁଷ୍ୟର ଚେତନା ଶକ୍ତି ମଧ୍ୟ ପ୍ରକୃତିକୁ ପ୍ରଭାବିତ କରିଥାଏ। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏପରି ଅନେକ ବିଷୟ ଓ କିମ୍ବଦନ୍ତୀ ଉଲ୍ଲେଖ ଅଛି ଯେଉଁଠି ମଣିଷ ଓ ପ୍ରକୃତି ଚିରନ୍ତନ ଭାବେ ସହାବସ୍ଥାନ କରୁଥିଲେ।

ଭାରତୀୟ ସଂସ୍କୃତି ଓ ପରମ୍ପରା ଏକମାତ୍ର ପ୍ରାଚୀନ ସଭ୍ୟତା ଯେଉଁଠି କି ମଣିଷ ସହିତ ଜୀବଜନ୍ତୁ, ବୃକ୍ଷଲତା ମଧ୍ୟ ପୂଜା ପାଉଥିଲେ, ଏବଂ ଆଜି ମଧ୍ୟ ଏହି ପରମ୍ପରାର ଛାପ ଦେଖିବାକୁ ମିଳେ। ଭାରତ ଏକମାତ୍ର ଦେଶ ଯେଉଁଠି ଗାଈକୁ ଗୋମାତା ଭାବେ ପୂଜା କରାଯାଏ, ଯେଉଁଠି ନଦୀକୁ ମା’ ଭାବେ ବନ୍ଦନା କରାଯାଏ। ଏ ଦେଶର ସଂସ୍କୃତି ଯେଉଁଠି ବର ଗଛକୁ ବଟବୃକ୍ଷ ଏବଂ ତୁଲସୀକୁ ଦେବୀ ଭାବେ ପୂଜନ କରାଯାଏ। ଏଥିରୁ ସ୍ପଷ୍ଟ ଭାବେ ଆପଣ ଜାଣିପାରୁଥିବେ ଯେ ମାନବ ସମାଜକୁ ଚିରନ୍ତନ ଭାବେ ବଞ୍ଚିବାକୁ ହେଲେ, ଯାହାକୁ ଆମେ sustainable living ଭାବେ ଜାଣିଥାଉ, ପ୍ରକୃତି ଓ ପରିବେଶକୁ ସମ୍ମାନ ଦେବାକୁ ହେବ।

          କିନ୍ତୁ, ଆଜିର ବିକାଶନ୍ମୁଖି  ସମାଜରେ ମନେହୁଏ ଯେ ଏହି ବାର୍ତ୍ତା ନିଶ୍ଚିତ ଭାବେ ପଛରେ ପଡିଯାଇଛି। ବିକାଶ ଏବଂ ପରିବେଶ ଅନୁପୂରକ ନୁହେଁ, ହେବା ଉଚିତ ମଧ୍ୟ ନୁହେଁ। ପରିବେଶ ସୁରକ୍ଷା ସହିତ ଆମେ ବିକାଶର ନୂତନ ଶିଖରକୁ ଛୁଇଁ ପାରିବା। ଏହା ଉପରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିତର୍କ ଓ କାର୍ଯ୍ୟକ୍ରମ ଚାଲିଛି।

 କିନ୍ତୁ, ଭାରତୀୟ ସଂସ୍କୃତି ଓ ପରମ୍ପରା ଟିକିଏ ଅଲଗା। ପରିବେଶ ସୁରକ୍ଷା ପାଇଁ ଆଧ୍ୟାତ୍ମିକତାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଭାବାବେଗ ସହିତ ପରିବେଶ ସୁରକ୍ଷା ଯୋଡିହୋଇଗଲେ ପ୍ରକୃତି ଓ ମାନବ ମଧ୍ୟରେ ଏକ symbiotic relationର ନୂତନ ଦିଗନ୍ତ ସୃଷ୍ଟି ହେବ। ଆଉ ଏହାହିଁ Lifestyle For Sustainabilityର ଚିନ୍ତାଧାରା ଏବଂ କାର୍ଯ୍ୟକ୍ରମ।

          ଆଜିର ଏହି ଅବସରରେ ମୁଁ କହିବାକୁ ଚାହେଁ ଯେ ମହାମହିମ ରାଷ୍ଟ୍ରପତିଙ୍କ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ସହିତ ଭାବଗତ ସମ୍ପର୍କ ଅଛି। ମାତ୍ର ଚାରିମାସ ତଳେ ଓଡ଼ିଶାରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଈଶ୍ୱରୀୟ ସେବାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମହାମହିମ ରାଷ୍ଟ୍ରପତି ଯୋଗଦେଇ ସମସ୍ତଙ୍କୁ ଆଧ୍ୟାତ୍ମିକତାରେ ଉଦ୍ବୁଦ୍ଧ କରିଥିଲେ। ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆଜି ଆମେମାନେ ପୁଣିଥରେ ତାଙ୍କ ସାନିଧ୍ୟ ପାଇ ତାଙ୍କର ଦିଗଦର୍ଶନ ଲାଭ କରିବା।

          ବିଶ୍ୱଶାନ୍ତି ଓ ବିଶ୍ୱକଲ୍ୟାଣ ପାଇଁ ପ୍ରତିଷ୍ଠା କରାଯାଇଥିଲା ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ । ୧୯୩୭ ମସିହାରେ ସ୍ଥାପିତ ଏହି ଅନୁଷ୍ଠାନ ଏହାର ଦର୍ଶନ ଓ ଆଧ୍ୟାତ୍ମିକ ଚିନ୍ତାଧାରା ଯୋଗୁଁ ଆଜି ବିଶ୍ୱର କୋଣ ଅନୁକୋଣରେ ଲୋକପ୍ରିୟତା ହାସଲ କରିପାରିଛି । ଏହା ସେହି ଭାରତୀୟ ସଂସ୍କୃତି, ଯେଉଁଠି ମାତୃ ଶକ୍ତିକୁ ପ୍ରଥମେ ରଖାଯାଏ, ଲକ୍ଷ୍ମୀ-ନାରାୟଣ, ସୀତା-ରାମ, ରାଧା-କୃଷ୍ଣ। ଏହା ସେଇ ଜଗନ୍ନାଥ ସଂସ୍କୃତି ଯେଉଁଠି ମା’ ବିମଳାଙ୍କ ନିକଟରେ ଭୋଗ ଲାଗି ହେଲା ପରେ ତାହା ମହାପ୍ରସାଦର ଆଖ୍ୟା ଲାଭ କରିଥାଏ। ଏପରି ସଂସ୍କୃତି, ଏପରି ପରମ୍ପରା ସାରା ବିଶ୍ବରେ ଅନନ୍ୟ।

          ବ୍ରହ୍ମାକୁମାରୀ ଆନ୍ଦୋଳନ ଏହି ମହାନ ସଂସ୍କୃତିକୁ ପ୍ରଚାର ମାଧ୍ୟମରେ ନୁହେଁ, କଠିନ ବ୍ରତ, କଠିନ ତପସ୍ୟା ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟି କରୁଛନ୍ତି।  ଜାତି, ଧର୍ମ, ବର୍ଣ୍ଣ, ବଡ଼ ସାନ ନିର୍ବିଶେଷରେ ଆପଣା ପରର ଭେଦଭାବ ଭୁଲି, ପରମାତ୍ମାଙ୍କ ଅମୃତ ସନ୍ତାନ ଭାବେ ସମସ୍ତଙ୍କୁ ଭାଇ-ଭଉଣୀର ମର୍ଯ୍ୟାଦା ଦେଉଛନ୍ତି ।

ଆଜିର ଏହି ଅଭିନବ କାର୍ଯ୍ୟକ୍ରମ ଆପଣ ମାନଙ୍କର ମହତ ଉଦ୍ଦେଶ୍ୟକୁ ଆଉ ପାଦେ ଆଗକୁ ନେଇ ମାନବ କଲ୍ୟାଣ ଦିଗରେ ଅଶେଷ ହିତ କରିବ, ଏଥିରେ କାହାର ତିଳେ ମାତ୍ର ସନ୍ଦେହ ନାହିଁ ।

          ଆଜି ଆମ ଦେଶ ଅମୃତ କାଳ ଦେଇ ଗତି କରୁଛି, ବିକାଶର ନୂତନ ଶିଖରକୁ ଆମେ ପହଞ୍ଚୁଛୁ। ଆଜି ସମଗ୍ର ବିଶ୍ବରେ ଭାରତ ବିଶ୍ଵ ଗୁରୁ ଭାବେ ଖ୍ଯାତି ଲାଭ କରୁଛି। ଏହି ସଫଳତା ପଛରେ ଅଛି ଦେଶର 140 କୋଟି ଜନସାଧାରଣଙ୍କ କଠିନ ପରିଶ୍ରମ ଏବଂ ଜାତୀୟ ନେତୃତ୍ଵର ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ ।

କିନ୍ତୁ ଏହା ବି ସତ୍ୟ ଯେ ପ୍ରତିଟି ଭାରତୀୟଙ୍କ ବ୍ୟକ୍ତିଗତ ଜୀବନ ତଥା ଏ ରାଷ୍ଟ୍ରର ପ୍ରଥମ ମୂଳଦୁଆ ହେଉଛି ଆଧ୍ୟାତ୍ମିକ। ତେଣୁ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହେବାକୁ ଥିବା ଆଜିର ଏହି ସୁନ୍ଦର ପ୍ରଚେଷ୍ଟା, ବିକାଶ ଓ ପରିବେଶକୁ ସମତୁଲ କରିବା ପାଇଁ Sustainable Lifestyleର ଚିନ୍ତାଧାରା ନିଶ୍ଚିତ ଭାବେ ପ୍ରଶଂସନୀୟ ଏବଂ ମୁଁ ଏଥିପାଇଁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିବା ସହ ଶୁଭକାମନା ଜଣାଉଛି।

ଏପରି ମହତ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାର ସବୁବେଳେ ଖୋଲା।

ଶେଷରେ ମୁଁ ସବୁ କାର୍ଯ୍ୟକର୍ତ୍ତା, ବ୍ରହ୍ମାକୁମାରୀ, ବ୍ରହ୍ମାକୁମାରଙ୍କୁ ଶୁଭକାମନା ଦେବା ସହିତ ପରଂବ୍ରହ୍ମଙ୍କ ନିକଟରେ ପ୍ରାର୍ଥନା କରୁଛି ସେମାନେ ତାଙ୍କ କଠିନ ସାଧନା ଫଳରେ ନିଜ ଲକ୍ଷ୍ୟ ହାସଲ କରିବା ସହିତ ସମାଜର ମଙ୍ଗଳ ପାଇଁ ସଦା ସର୍ବଦା ବ୍ରତୀ ରହିବେ।

          ସର୍ବେ ଭବନ୍ତୁ ସୁଖିନଃ,

ସର୍ବେ ସନ୍ତୁ ନିରାମୟାଃ,

          ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ,

ମା କଶ୍ଚିତ ଦୁଖଭାଗ ଭବେତ।

ଓଁ ଶାନ୍ତି,  ଓଁ ଶାନ୍ତି, ଓଁ ଶାନ୍ତି ।

ଧନ୍ୟବାଦ

ବନ୍ଦେ ଉତ୍କଳ ଜନନୀ ।

Leave a Reply

Your email address will not be published. Required fields are marked *