ରୁକୁଣା ରଥଯାତ୍ରା ଅବସରରେ ମତଦାନ ଅଧିକାର ସଚେତନତା ନେଇ ପଥପ୍ରାନ୍ତ ନାଟକ

ଭୁବନେଶ୍ୱର,୧୬/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଖୋରଧା ଜିଲ୍ଲାରେ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଓ ଅବାଧ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ସହ ଜିଲ୍ଲାରେ ଅଧିକରୁ ଅଧିକ ମତଦାତା ଚଳିତ ନିର୍ବାଚନରେ ଭାଗନେଇ ମତଦାନ କରିବା ନିମନ୍ତେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ଏହି ମର୍ମରେ ସୁଇପି (ସିଷ୍ଟମେଟିକ୍‌ ଭୋଟର୍ସ ଏଜୁକେସନ୍‌ ଆଣ୍ଡ ଇଲେକ୍‌ଟୋରାଲ୍‌ ପାର୍ଟିସିପେସନ୍‌) କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅଭିଯାନକୁ ବ୍ୟାପକ କରାଯାଇଛି । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମୟରେ ଜନସମାଗମକୁ ଦୃଷ୍ଟିରେ ରଖି ଏହି ସୁଇପି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଛି ।

 ଏଥିରେ ଏସିଆନ୍‌ ଇନ୍‌ଷ୍ଟିଚିୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲଥ୍‌ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ । ସହର ଏବଂ ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ ମତାଧିକାରକୁ ନେଇ ଥିବା ଦ୍ୱନ୍ଦ ସଂପର୍କରେ ଅବଗତ କରାଇବା ସହ ଏହି ମତାଧିକାର ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ହେଉଥିବା ନେଇ ଏହି ନାଟକ ମାଧ୍ୟମରେ ସୂଚନା ଦେଇଥିଲେ । ଏଥି ସହ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି ଅଭିଯାନରେ ସାମିଲ ହୋଇଥିଲେ ।

          ଉକ୍ତ ବିଶ୍ୱବିଦ୍ୟାଳୟର ଶ୍ରୀମତୀ ପ୍ରଶଂସା ଦାସଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ଶୁଭଶ୍ରୀ ନାୟକ, ଶୋଭନ କୁମାର ସେନାପତି, ଅମିତ ଆଚାର୍ଯ୍ୟ, ଅଭିପ୍‌ସା ପାଣିଗ୍ରାହୀ, ପୂଜା ସାହୁ, ଅନନ୍ୟା ସାମନ୍ତରାୟ, ନମିତା ମହାନ୍ତ, ରୁଦ୍ରାଣୀ ପଣ୍ଡା, ମୋନାଲି ପ୍ରଧାନ, ମୋନାଲି ମୋନାଲିସା ରାୟଚୌଧୂରୀ ଏବଂ ସୋନିମା ରାଉତ ପ୍ରମୁଖ ନିଖୁଣ ଭାବରେ ନିଜର ଅଭିନୟ ମାଧ୍ୟମରେ ମତଦାନ ସଂପର୍କରେ ବାର୍ତ୍ତା ଦେଇଥିଲେ ।

          ସୂଚନାଯୋଗ୍ୟ ଯେ ଖୋରଧା ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମଇ ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଏଥିରେ ଅଧିକରୁ ଅଧିକ ମତଦାତା ମତଦାନ କରିବା ପାଇଁ ବିଭିନ୍ନ ସ୍ତରରେ ବ୍ୟାପକ ପ୍ରୟାସ ଜାରି ରଖିବାକୁ ପୂର୍ବରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ବିଭିନ୍ନ ବିଭାଗକୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଜିର ଏହି ଅଭିଯାନରେ ସୁଇପିର ନୋଡାଲ ଅଫିସର ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ – ନିର୍ବାହୀ ଅଧିକାରୀ ଡଃ ବାଦଲ କୁମାର ମହାନ୍ତି, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଓରମାସ ଡେପୁଟି ସିଇଓ ଶ୍ରୀ ରାଜଗୋପାଳ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *