ପାଟକୁରା, ୭/୭/୨୦୨୪ (ଓଡ଼ିଶା ସମାଚାର)- ଆଜି ବିଶ୍ୱ ନିଅନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଶ୍ୱ ପ୍ରସିଦ୍ଧ ପବିତ୍ର ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା । ଗରଦପୁର ବ୍ଲକ୍ ଅନ୍ତର୍ଗତ ଗରଦପୁର ଶ୍ରୀବଳଦେବଜୀୟୁ ମନ୍ଦିରରେ ଓ ହରିହର କ୍ଷେତ୍ର ମାହାଳ ଠାରେ ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ସମ୍ପନ୍ନ ହୋଇଛି । ଏହି ଅବସରରେ ଦୁଇ ମନ୍ଦିରରେ ସକାଳୁ ଶ୍ରୀଜୀୟୁ ମାନଙ୍କର ରୀତିନୀତି ପରେ ମଙ୍ଗଳଆଳତୀ, ମଇଲମ, ତଡପଲାଗି ଓ ଅବକାଶ ନୀତି କରାଯାଇଥିଲା । ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ରଥ ଯାତ୍ରା ପଡୁଥିବାରୁ ହରିହରକ୍ଷେତ୍ରରେ ନବଯୌବନ ଦର୍ଶନ ନିମନ୍ତେ ଦଇତାପତି ନିଯୋଗ ତରଫରୁ ୩୨ ପ୍ରକାର ଭୋଗର ବ୍ୟବସ୍ଥା କରାଯାଇଥିଲା । ଭୋଇ ସେବାୟତମାନେ ଆଜ୍ଞାମାଳ ଆଣିଲାପରେ ରଥ ଉପରକୁ ସେବାୟତମାନେ ଯାଇ କଳସ ଓ ନେତ ବାନ୍ଧିଥିଲେ । ପରେ ଚାର ମାଳ ଯୋଡା ଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ମାହାଳ ହରିହର କ୍ଷେତ୍ରରେ ଶ୍ରୀଜୀୟୁମାନଙ୍କ ନୀତି ପରେ ସୁଦର୍ଶନଙ୍କୁ ପହଣ୍ଡି କରି ମା’ ସୁଭଦ୍ରାଙ୍କ ରଥରେ ରଥାଋଢ କରିବା ପରେ ବଡଭାଇ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କୁ ଆଲଟ ଚାମର ହଲାଇ, ଘଂଟୁଆ, ଶଙ୍ଖୁଆ, କିର୍ତନୀୟାଙ୍କ ହରିନାମ ଓ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି, ଜୟଜଗନ୍ନାଥ ଧ୍ୱନି ସହିତ ସେବାୟତମାନଙ୍କ ଦ୍ୱାରା ଶ୍ରୀଜୀୟୁମାନଙ୍କୁ ଧାଡି ପହଣ୍ଡି କରାଯାଇ ତିନୋଟି ରଥରେ ରଥାଋଢ କରାଯାଇଥିଲାବେଳେ ଗରଦପୁରରେ ଗୋଟିଏ ରଥରେ ଠାକୁରମାନଙ୍କୁ ରଥାଋଢ କରାଯାଇଥିଲା । ମାହାଳ ଶ୍ରୀଜଗନ୍ନାଥ ମନ୍ଦିରର ରଥରେ ଠାକୁର ରାଜା ପ୍ରଶାନ୍ତ କୁମାର ନାୟକ ଛେରାପହଁରା କରିଥିବାବେଳେ ଗରଦପୁର ବଳଦେବଜୀୟୁଙ୍କ ରଥରେ ପ୍ରଶନ୍ନ ପଣ୍ଡା ଓ ଶୁଭମ ପାଣି ଛେରାପହଁରା କରିଥିଲେ । ଏହାପରେ ଅପରାହ୍ନରେ ରଥମାନଙ୍କରେ ଘୋଡା ଯୋଚା ଯାଇ ପୂଜାର୍ଚ୍ଚନା କରାଯାଇ ରଥଟଣା ଆରମ୍ଭ ହୋଇଥିଲା । ହରିହରକ୍ଷେତ୍ରରେ ପ୍ରଥମେ ବଳଭଦ୍ରଙ୍କ ରଥ ଟଣା ପରେ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣାଯାଇଥିଲା । ଏହି ରଥ ଟଣା ସମୟରେ ହନୁମାନ, ଯଶୋଦା, କୃଷ୍ଣ, ରାମ, ବଳରାମ, କଂସ ଇତ୍ୟାଦି ବେଶଧାରୀମାନେ ନୃତ୍ୟ କରୁଥିବାବେଳେ ଓଡିଶୀ ନୃତ୍ୟ, ଘୋଡାନାଚ ଦଳ ସେମାନଙ୍କ ଅଭିନୟ ପ୍ରଦର୍ଶନ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଓଡିଶା ଡ୍ରାଇଭର ସଂଘ, ଆପଦ ମିତ୍ର ସ୍ୱେଚ୍ଛାସେବୀ ସଂଗଠନ ରଥଯାତ୍ରାରେ ସାମିଲ ହୋଇ ସହଯୋଗ କରିଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଦହି ପାଣି, ଲେମ୍ବୁ ପାଣି ଇତ୍ୟାଦି ବଂଟନ କରାଯାଇଥିଲା । ମାହାଳରେ ଶିକ୍ଷାବିତ୍ ଡ. ଲିଙ୍ଗରାଜ ଶତପଥୀ, ଅଧ୍ୟାପିକା ଡ. ବିଚିତ୍ରା ମଂଜରୀ ତ୍ରିପାଠୀ, ଶିକ୍ଷକ ନରେଶ କୁମାର ମହାନ୍ତି, ମେଜର ଭରତ ଚନ୍ଦ୍ର ଜେନା, ସାମ୍ବାଦିକ ପ୍ରମୋଦ କୁମାର ପରିଡା, ଜ୍ଞାନରଂଜନ ରାଉତ, ନୃସିଂହ ଚରଣ ପରିଡା ପ୍ରମୁଖ ଉଦଘୋଷକ ଭାବେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ । ପ୍ରଶାସନ ପକ୍ଷରୁ ମାହାଳ ଏବଂ ଗରଦପୁର ରଥଯାତ୍ରାର ପରିଚାଳନା ତହସିଲଦାର ତୃପ୍ତି ମହାନ୍ତି, ବିଡିଓ ପ୍ରଦୁ୍ୟମ୍ନ କୁମାର ନାୟକଙ୍କ ତତ୍ୱାବଧାନରେ କରାଯାଇଥିବାବେଳେ ପୋଲିସ ପକ୍ଷରୁ ମାହାଳରେ କୁଦାନଗରୀ ଥାନାଧିକାରିଣୀ ଅମ୍ବିକା ଦାସ ଏବଂ ଗରଦପୁର ଠାରେ ପାଟକୁରା ଥାନାଧିକାରୀ ପ୍ରଦୀପ ପ୍ରଧାନ ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଆହୁରି ମଧ୍ୟ ସ୍ୱାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ ବିଭାଗ, ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ହୋଇ କାର୍ଯ୍ୟ ସଂପାଦନ କରିଛନ୍ତି ।