ଦିନ ଦିପହରେ ଝରକା ଭାଙ୍ଗି ଲୁଟ୍ 

ଗରଦପୁର,୭/୭/୨୦୨୪ (ଓଡ଼ିଶା ସମାଚାର)- କୁଦାନଗରୀ ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଅଧିନ ଜୟତଳଙ୍ଗ (କେଶୋଳ) ଗ୍ରାମର ପ୍ରାକ୍ତନ ବ୍ଲକ୍ କଂଗ୍ରେସ ସଭାପତି ତଥା ଗରଦପୁର ବ୍ଲକ୍ ର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଆଜି ଦିନ ଦିପହରେ ଘରର ପଛପଟ ଝରକା ଭାଙ୍ଗି ଘରେ ପସି ଦୁର୍ବୃତ ଲୁଟ କରିଛନ୍ତି । ସ୍ୱର୍ଗତ ମହାନ୍ତି ଙ୍କ ଭଉଣୀ ରାଜଲକ୍ଷ୍ମୀ ମହାନ୍ତି  ସକାଳ ପ୍ରାୟ ୧୧ ଟା ବେଳେ ଘରେ କୋଲପ ପକାଇ  ନିକଟସ୍ଥ ତାଙ୍କ ବନ୍ଧୁ ଘରକୁ ଯାଇଥିଲେ । ବନ୍ଧୁ ଘରୁ ଫେରି ଦେଖନ୍ତିତ ମଝି ଘରର ପଛପଟ ଝରକା ଭଙ୍ଗା ଯାଇ ଘର ଭିତରେ ଥିବା ସମସ୍ତ ଜିନିଷ ପତ୍ର ଖେଳା ମେଳା ହୋଇ ପଡ଼ିଛି ଓ ଘରେ ଥିବା ଗଡ଼୍ରେଜ ଆଲମିରାରେ ଥିବା ସୁନା ଗହଣା ଓ ଟଙ୍କା ସବୁ ଲୁଟ୍ ହୋଇ ଯାଇଛି । ଏ ସମ୍ପର୍କରେ ରାଜଲକ୍ଷ୍ମୀ ମହାନ୍ତି   କୁଦାନଗରୀ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏଠାରେ ଉଲେଖଯୋଗ୍ୟ କି ଗତ ମାସରେ ସାନନୟନପୁର (ଦୋବନ୍ଦି ଛଳରେ) ଥିବା ଏକ ଦୋକାନରୁ କ୍ରମାଗତ ଭାବେ ଦୁଇ ଥର ଚୋରୀ ହୋଇଥିଲା । ସେହି ଚୋରୀ ର ଆଜି ପର୍ଯ୍ୟନ୍ତ କିଛି ଟେର ମିଳିପାରିନାହିଁ । ତେଣ୍ଡାକୁଡ଼ା ଠାରେ ଏକ ପୋଲିସ ଫାଣ୍ଡି ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ହୋଇପାରିନାହିଁ । ବଡ଼ ନୟନପୁର (ସାଇଫନ୍) ଠାରେ ଏକ ବର୍ଡ଼ର ଚେକ୍ ପୋଷ୍ଟ ଥିଲା । ତାହା ଏବେ ନଥିବାରୁ ଏହି ଅଂଚଳରେ ଚୋରୀ ବଢ଼ିଯାଇଥିବା ସାଧାରଣରେ ଅଭିଯୋଗ ହେଉଛି । ତୁରନ୍ତ ତେଣ୍ଡାକୁଡ଼ା ଠାରେ ଏକ ପୋଲିସ ଫାଣ୍ଡି କିମ୍ବା କ୍ୟାମ୍ପ ଖୋଲିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *