ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

‘ମା’ ନାମରେ ଗଛଟିଏ’ ଅଭିଯାନ ଅଧିନରେ ରାଜ୍ୟରେ ହେବ ୫ ଲକ୍ଷ ଚାରାରୋପଣ

ସବୁଜ-ସୁନ୍ଦର ଓଡ଼ିଶା ଗଠନରେ ସେ୍ୱଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

‘ଗଛର ଛାଇ ମା’ର ପଣତକାନି ସଦୃଶ’: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମା’ ହେଉଛି ନିଃସ୍ୱାର୍ଥପର ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ବିନା ବେତନରେ ଯଦି କେହି ସବୁଠାରୁ ଅଧିକ ପରିଶ୍ରମ କରେ ସେ ହେଉଛି ମା’ । ପାର୍ଥିବ ଜୀବନରେ ଜନ୍ମମୃତୁ୍ୟ ଧ୍ରୁବସତ୍ୟ । ଆମେ ଯଦି ମା’କୁ ଉତ୍ସର୍ଗ କରି ଚାରାଟିଏ ରୋପଣ କରିଥିବା ତାହା ଏକ ବଡ଼ ବୃକ୍ଷରେ ରୂପାନ୍ତରିତ ହେଲାପରେ ଆମକୁ ଫଳପୁଷ୍ପ ସହ ଛାଇ ଦେବ । ସେହି ଛାଇ ମା’ର ଅବର୍ତ୍ତମାନରେ ତା’ର ପଣତକାନିର ସ୍ପର୍ଶର ମହାର୍ଘ ଅନୁଭବ ପ୍ରଦାନ କରିବ । ସେହି ଅନୁଭବ ଏବଂ ଆନନ୍ଦକୁ ଶବ୍ଦରେ ବର୍ଣ୍ଣନା କରାଯାଇ ନପାରେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ‘ମା’ ନାମରେ ଗଛଟିଏ‘ ସଂକଳ୍ପର ଏହା ହେଉଛି ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ଜନସାଧାରଣ ବିଶେଷ କରି ସେ୍ୱଚ୍ଚାସେବୀ, ଛାତ୍ରଛାତ୍ରୀମାନେ ସଂକଳ୍ପବଦ୍ଧ ହୋଇ ଚାରାକୁ ଦ୍ରୁମରେ ପରିଣତ କରି ଭାରତକୁ ଏକ ସବୁଜ-ସୁନ୍ଦର ରାଷ୍ଟ୍ରରେ ପରିଣତ କରିବା ପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଅନୁରୋଧ କରିଛନ୍ତି ।

        ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ରାଜ୍ୟ ଜାତୀୟ ସେବା ଯୋଜନା ଶାଖା ଏବଂ ଶ୍ରୀ ସତ୍ୟସାଇ ସେବା ସଂଗଠନର ମିଳିତ ସହଯୋଗରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଯୋଗଦେଇ କହିଥିଲେ ଯେ ଓଡ଼ିଆ ଜାତିର ସର୍ବୋଚ୍ଚ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁଦେବତା । ଏଥିରୁ ଦାରୁର ମହତ୍ତ୍ୱ ସ୍ପଷ୍ଟ ଅନୁମେୟ । କେବଳ ଚାରାଟିଏ ପୋତିଦେଲେ ହେବ ନାହିଁ । ତାକୁ ବୃକ୍ଷରେ ରୂପାନ୍ତରିତ କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ । ସେଥିପାଇଁ ଆନ୍ତରିକତା ଓ ଅତ୍ମୀୟତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ ।

        ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଶୁଭାରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ରାଜ୍ୟ ଜାତୀୟ ସେବା, ଶ୍ରୀ ସତ୍ୟସାଇ ସେବା ସଂଗଠନର ସେ୍ୱଚ୍ଛାସେବୀ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାରା ରାଜ୍ୟରେ ୫ ଲକ୍ଷ ଚାରାରୋପଣ କରାଯିବ ।

        ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ କହିଲେ ଯେ ସନ୍ତାନଠାରୁ କିଛି ଆଶା ନକରି ମା’ ନିଜର ସବୁକିଛି ସମର୍ପି ଦେଇଥାଏ । ଠିକ୍‌ ସେହିପରି ବୃକ୍ଷ ମଧ୍ୟ ଜୀବନଧାରଣ ପାଇଁ ଆମକୁ ଅନେକ କିଛି ଦେଇଥାଏ । ତେଣୁ ମା’ ଓ ବୃକ୍ଷ ପ୍ରାୟତଃ ସମାନ । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଏହି ମହତ ସ୍ୱପ୍ନକୁ ସାକାର କରିବାକୁ ହେଲେ ଆମକୁ ମା’ ନାଁରେ ଚାରାଟିଏ ଲଗାଇ ମା’ ଆମର ଯନି ନେବା ଭଳି ସେହି ଚାରାଟିର ଯନି ନେବାକୁ ପଡ଼ିବ । ଏଥି ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ଏବଂ ସେ୍ୱଚ୍ଛାସେବୀମାନଙ୍କୁ ଚାରା ଓ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହ ସେ୍ୱଚ୍ଛାକୃତ ଭାବେ ପ୍ରକାଶ କରିଥିଲେ ।

        ସମ୍ମାନିତ ଅତିଥି ଭାବେ ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ, ଶ୍ରୀ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ଡା. ସତ୍ୟସ୍ୱରୂପ ପଟ୍ଟନାୟକ, ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା ପ୍ରମୁଖ ବୃକ୍ଷର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳ କରିବା ପାଇଁ କୁହାଯାଇଛି ।

        ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଇତିଶ୍ରୀ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ଡ. ସଂପ୍ରୀତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଡ., ଶୁଭ୍ରାଂଶୁ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାଜଧାନୀର ୧୪ଟି ମହାବିଦ୍ୟାଳୟର ୨୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏବଂ ଶ୍ରୀ ସତ୍ୟସାଇ ସେବା ସଂଗଠନର ସେ୍ୱଚ୍ଛାସେବୀ, ଅଧ୍ୟାପକ-ଅଧ୍ୟାପିକାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

        ଏହି ଅବସରରେ ରାଜ୍ୟ ଜାତୀୟ ସେବାର ଶତାଧିକ ସେ୍ୱଚ୍ଛାସେବୀଙ୍କ ଦ୍ୱାରା ଏକ ମାନବଶୃଙ୍ଖଳ କରାଯାଇଥିଲା ।

Leave a Reply

Your email address will not be published. Required fields are marked *