ଇଣ୍ଡିଆନ  ମେଡିକାଲ   ଆସୋସିଏସନର   ଯାଜପୁର   ଶାଖା   ଆନୁକୂଲ୍ୟରେ   ଜାତୀୟ   ଡାକ୍ତର   ଦିବସ  ପାଳିତ ।

ଯାଜପୁର , ୪/୭/୨୦୨୪ (ଓଡ଼ିଶା ସମାଚାର)-ପ୍ରତ୍ୟେକ ବର୍ଷ ଜୁଲାଇ ମାସ ଏକ ତାରିଖରେ ସମଗ୍ର ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଥିବା ସମୟରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଯାଜପୁର ଶାଖା ପ୍ରତିବର୍ଷ ଏହି ଦିବସକୁ ପାଳନ କରିଆସୁଛି।

ଚଳିତ ବର୍ଷ  ଅନୁଷ୍ଠାନ  ଯାଜପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ସଭା ଗୃହରେ ଜିଲ୍ଲାର ଡାକ୍ତରମାନଙ୍କ ଦ୍ୱାରା “ଜାତୀୟ ଡାକ୍ତର ଦିବସ” ପାଳନ କରିଥିଲା ।

 ଭାରତରତ୍ନ ପ୍ରାପ୍ତ ବିଶିଷ୍ଟ  ଚିକିତ୍ସକ, ଦକ୍ଷ ରାଜନେତା ଓ ଚିକିତ୍ସା କ୍ଷେତ୍ରରେ ବିସ୍ମୟ ସୃଷ୍ଟିକରିଥିବା ସ୍ବର୍ଗତ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁଲାଇ ଏକ ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବରେ ପାଳନ କରାଯାଇଥାଏ।

ଏହି ଉପଲକ୍ଷେ ଆୟୋଜିତ ଆଡମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଯାଜପୁରର ଭାରପ୍ରାପ୍ତ ସି. ଡି.ଏମ.ଓ. ଡାକ୍ତର ସୁଧାଂଶୁ ଶେଖର ବଳ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଇଣ୍ଡିଆନ ମେଡିକାଲ ଆସୋସିଏସନ ଯାଜପୁର ଶାଖାର ସଭାପତି ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ଡାକ୍ତର ଏ. କେ. ଏନ. ଶର୍ମା ସ୍ୱାଗତ ସମ୍ଭାଷଣ ଦେଇଥିଲେ।

ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର କାର୍ତ୍ତିକ ଚନ୍ଦ୍ର ରାଉତ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜୀବନୀ ଓ ଉତ୍ସଚ୍ଚାର୍ଗୀକୃତ ଡାକ୍ତରୀ ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଓ ଗ୍ଲୋବାଲ ପିସ ଫାଉଣ୍ଡେସନ ର  ଅଧ୍ୟକ୍ଷ ଡାକ୍ତର ରାଜ କିଶୋର ପଣ୍ଡା ସାରା ବିଶ୍ୱରେ ଜନ ବିସ୍ଫୋରଣ ଯୋଗୁ  ବିଶ୍ଵଶାନ୍ତି ବାଧାପ୍ରାପ୍ତ ହେବା ଏବଂ ତାର ନିରାକରଣ  ପାଇଁ ଡାକ୍ତର ମାନଙ୍କର ଭୂମିକା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ। ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଭାଗିରଥି ପାଣି ଡାକ୍ତର ମାନଙ୍କର ରୋଗୀ ଚିକିତ୍ସା କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ସେସବୁ ର ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ।

ରୋଗୀ ଚିକିତ୍ସା କ୍ଷେତ୍ରରେ ବିଶେଷ ଆଦୃତି ଲାଭ କରିଥିବା ଓ ସେମାନଙ୍କ ଜୀବନବ୍ୟାପୀ ସଫଳତା ଅର୍ଜନ କରିଥିବା ଆଧାରରେ  ଯାଜପୁରର ବରିଷ୍ଠ ଓ ବିଶିଷ୍ଟ ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଡାକ୍ତର ସାଧୁ ଚରଣ ଶତପଥି ଓ ଡାକ୍ତର ଗଣେଶ  ଚନ୍ଦ୍ର ରାୟଙ୍କୁ ଅନୁଷ୍ଠାନ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯାଜପୁରର ସମସ୍ତ ଡାକ୍ତର ଓ ନର୍ସିଙ୍ଗ ଅଫିସରମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *