ଜାତୀୟ ସ୍ୱାସ୍ଥ୍ୟ ମିଶନର ସମୀକ୍ଷା ବୈଠକ

ଭୁବନେଶ୍ୱର, ୧/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଭାଗୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକାରିତା ଓ ବିଭିନ୍ନ ଯୋଜନା ଯଥା ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରକ୍ତ ଶିକୁଳିଜନିତ ରକ୍ତ ସମସ୍ୟା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏକ ବଡ଼ ଦାୟିତ୍ୱ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବକ୍ତବ୍ୟରେ କହିଥିଲେ । ଆହୁରି ମଧ୍ୟ କହିଥିଲେ ଯେ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଆସୁଥିବା ମେଡ଼ିକାଲ କଲେଜଗୁଡିକରେ ବାୟୋମେଡ଼ିକାଲ ଇଂଜିନିୟରିଂ ବିଭାଗ ଖୋଲିବା ସହ ୧୦୮ ଆମ୍ବୁଲାନ୍ସଗୁଡିକର ରୋଗୀଙ୍କ ପାଖରେ ପହଞ୍ଚିବା ସମୟ ୧୫ ମିନିଟକୁ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ପୂରଣ ହେଉଥିବା ସ୍ୱାସ୍ଥ୍ୟ ସେବା ପଦବୀଗୁଡିକୁ ଯଥାଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

          ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ସ୍ୱାସ୍ଥ୍ୟସେବାକୁ ଅଧିକ ସରଳ ଓ ଜନକଲ୍ୟାଣକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ରାଜ୍ୟର ଯେକୌଣସି କୋଣରେ ଥିଲେ ସୁଦ୍ଧା ଜଣେ ରୋଗୀ ଏହାର ଲାଭ ଉଠାଇ ପାରିବ ସେ ଦିଗରେ ସଚେତନ ହେବାକୁ କହିଛନ୍ତି । ସେହିଭଳି ସିଏଚସିଗୁଡିକର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାକୁ ବୈଠକରେ କହିଥିଲେ । ସ୍ୱାସ୍ଥ୍ୟ ପାଇଁ ଯୋଗ ହିତକାରୀ ତେଣୁ ଏହି ଅନୁସାରେ ପ୍ରତି ଜିଲ୍ଲା ତଥା ସହରାଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ନିୟମିତ ବ୍ୟବଧାନରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ ଓ ଏଥିନିମନ୍ତେ ଯୋଗ ପ୍ରଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ମଧ୍ୟ ମନ୍ତ୍ରୀ ମହାଲିଙ୍ଗ ମତପ୍ରକାଶ କରିଥିଲେ । ଏହି ବୈଠକରେ ବିଭାଗୀୟ ମୁଖ୍ୟ ଡି. ବୃନ୍ଦାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *