ନିଯୁକ୍ତି ଭିତିକ ବିକାଶ ତାଲିମ ପାଇଁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

କେନ୍ଦ୍ରାପଡ଼ା,୩୦/୧୧/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଛି ନିଯୁକ୍ତି ଭିତିକ ବିକାଶ ତାଲିମ ନିମନ୍ତେ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହ ଚୁକ୍ତି କରିଥିବା ତାଲିମ ପ୍ରଦାନକାରୀ ସଂସ୍ଥାମାନେ ଏବଂ କେନ୍ଦ୍ରାପଡ଼ାର ବୈଷୟିକ ଶିକ୍ଷାନୁଷ୍ଠାନମାନେ ଏହି ଶିବିରରେ ଅଂଶଗ୍ରହଣ କରିବେ । ଏହି ଶିବିରରେ ଜିଲାର ୫ମ ଶ୍ରେଣୀରୁ ସ୍ନାତକ ଓ ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ୧୮ରୁ ୩୫ ବର୍ଷ ବୟସ୍କ ଇଛୁକ ପ୍ରାର୍ଥି ଓ ପ୍ରାର୍ଥିନୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସହ ଗୋଟିଏ ରଙ୍ଗୀନ ପାସପୋର୍ଟ ଫଟୋ ପଞ୍ଜିକରଣ ପାଇଁ ଆଣିବାକୁ ହେବ । କେନ୍ଦ୍ରାପଡ଼ା ବ୍ଲକ୍ ପାଇଁ ଡିସେମ୍ବର ୫ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଡେରାବିଶ, ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, ରାଜକନିକା, ମାର୍ଶାଘାଇ, ମହାକାଳପଡ଼ା, ଗରଦପୁରରେ ଯଥାକ୍ରମେ ୬, ୭, ୮, ୧୨, ୧୩, ୧୪, ୧୫, ୧୬ ତାରିଖ ଚୂଡ଼ାନ୍ତ ହୋଇଛି । ସୂଚନାଯୋଗ୍ୟ ଯେ ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ନିଯୁକ୍ତି ଭିତିକ ବିକାଶ ତାଲିମ ନିମନ୍ତେ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହେବ । ଶିବିର ପାଇଁ ସମୟ ରହିଛି ସକାଳ ୧୧ଟାରୁ ଅପରାହ୍ଣ ୩ଟା । ଅଧିକ ସୂଚନା ପାଇଁ ଜିଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଜିଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *