ଆଶ୍ରା ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିୟ ନିଶା ନିବାରଣ ଓ ଅବୈଧ ଚାଲାଣ ମୁକ୍ତ ଦିବସ ପାଳିତ

ଜଗତସିଂହପୁର,୨୬/୬/୨୦୨୪ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ ଏବଂ ଆଶ୍ରା ସ୍ଵତନ୍ତ୍ର ବିଦ୍ୟାଳୟ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ମୁକ୍ତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ନିଶା ନିବାରଣ କରିବାକୁ ହେଲେ ପ୍ରଥମେ ଆମର ଚତୁଃପାର୍ଶ୍ଵ,ଆମର ସମାଜ କୁ ନିଶାମୁକ୍ତ କରିବାକୁ ପଡିବ। ବର୍ତ୍ତମାନ ନିଶାଦ୍ରବ୍ୟ ବିକ୍ରୟ ଗାଁ ଠାରୁ ସହର ସବୁଆଡ଼େ ନିଜର କାୟା ବିସ୍ତାର କରିଛି, ଯାହାର ଶୀକାର ହେଉଛନ୍ତି ସମାଜର ଯୁବପିଢ଼ି। ତେଣୁ ଏଥିପାଇଁ ପ୍ରଶାସନ, ପୋଲିସ୍ ଓ ଅବକାରୀ ବିଭାଗ ର ଗୁରୁଦାୟିତ୍ବ ରହିଛି ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ସରକାର ଙ୍କ ତରଫରୁ ଖୋଲାଯାଇଥିବା ନିଶାମୁକ୍ତି କେନ୍ଦ୍ର ରେ ନିଶା କବଳରୁ ମୁକ୍ତ ହୋଇ ଫେରିବା ପରେ ଯେଉଁ ପରିବେଶ ରେ ପୁନର୍ବାର ବ୍ୟକ୍ତି ଟି ପାଦ ରଖୁଛି, ସେହି ପରିବେଶ କୁ ନ ସୁଧାରିଲେ ଆଜି ଦିବସ ର ମହତ୍ତ୍ୱ କେବଳ   ବାକ୍ୟ ରେ ସୀମିତ ହୋଇ ରହିଯିବ ବୋଲି ଶ୍ରୀ ଦାସ କହିଥିଲେ ଏବଂ ଏଥିପାଇଁ ସମସ୍ତଙ୍କ ର ସହଯୋଗ କାମନା କରିଥିଲେ। ଜଗତସିଂହପୁର ଜିଲ୍ଲା କୁ ନିଶାମୁକ୍ତ କରି ଜିଲ୍ଲା ର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସଂକଳ୍ପ ନେବାକୁ ବିଧାୟକ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ନିଶା ମୁକ୍ତ ସମାଜ ସୁସ୍ଥ ଓ ବିକଶିତ ରାଷ୍ଟ୍ର ଗଠନରେ ସହାୟକ ବୋଲି କହିଥିଲେ।ଆଶ୍ରା ଭିନ୍ନକ୍ଷମ ସ୍ଵତନ୍ତ୍ର ବିଦ୍ୟାଳୟର ସମ୍ପାଦକ ଶ୍ରୀ ଅଜୟ କୁମାର ଖୁଣ୍ଟିଆ ବିଦ୍ୟାଳୟ ଅନ୍ତେବାସୀ ମାନଙ୍କ ସମସ୍ୟା କୁ ବୁଝି ,ସେମାନଙ୍କୁ ଶିକ୍ଷା ର ରାସ୍ତା ଦେଖାଇ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ଙ୍କ ର ସହଯୋଗ କାମନା କରିଥିଲେ। ଆଜିର ପିଲା କାଲି ର ଭବିଷ୍ୟତ, ତେଣୁ ସେମାନଙ୍କୁ ନିଶା ପରି ଶତୃ କବଳରୁ ରକ୍ଷା କରିବା ଆବଶ୍ୟକ ବୋଲି  ସେ କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ମଧ୍ୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଏହି ନିଶା ରୂପକ ରାକ୍ଷସ କୁ ଦୂରୀଭୂତ କରିହେବ ବୋଲି କହିଥିଲେ। ଏହି ସମାରୋହରେ ଯୋଗଦେଇ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଶିକ୍ଷା,ସଚେତନତା ଓ ସଠିକ୍ ଦିଗଦର୍ଶନ ହିଁ ଏକ ନିଶାମୁକ୍ତ ସମାଜ ଗଠନ କରିବା ସହ ରାଷ୍ଟ୍ର ତଥା ରାଜ୍ୟ ର ଅଭିବୃଦ୍ଧି ରେ ସହାୟକ ହେବ ବୋଲି କହିଥିଲେ। ପ୍ରାରମ୍ଭ ରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଉଦର ସୁନ୍ଦର ସ୍ଵାଇଁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ନିଶା ନିବାରଣ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏବଂ ଅନ୍ୟ ସମ୍ମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ। ଜଗତସିଂହପୁର ବ୍ଲକ୍ ସମାଜିକ ସୁରକ୍ଷା ଅଧିକାରୀ ରୂପରେଖା ସଭା କାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସମାଜିକ ସୁରକ୍ଷା କାର୍ଯ୍ୟାଳୟ ର ଜୁନିଅର ଆସିଷ୍ଟାଣ୍ଟ ସାଗର କୁମାର ବେହେରା ଏବଂ ଆଶ୍ରା ସ୍ଵତନ୍ତ୍ର ବିଦ୍ୟାଳୟର କର୍ମକର୍ତ୍ତା ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା।  ନିଶା ନିବାରଣ ଓ ଅବୈଧ ଚାଲାଣ ରୋକିବା ନିମନ୍ତେ ବିଦ୍ୟାଳୟ ର ଅନ୍ତେବାସୀ  ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ। ଏହି ଆନ୍ତର୍ଜାତୀୟ ଦିବସ ପାଳନ ଅବସରରେ ଆଶ୍ରା ର ଅନ୍ତେବାସୀ, କର୍ମକର୍ତ୍ତା, ତିର୍ତ୍ତୋଲ, କୁଜଙ୍ଗ ଏବଂ ଏରସମା ବ୍ଲକ ର ବ୍ଲକ୍ ସମାଜିକ ସୁରକ୍ଷା ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *