ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ: ମନ୍ତ୍ରୀ ଶ୍ରୀବଳ ସାମନ୍ତ

୧୧ ସେପ୍ଟେମ୍ବରରୁ ୬ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ – –  ଦିବା ୧୧ରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍ – –  ବିଶେଷ ରିହାତି ଦରରେ କିଣିହେବ ମନ ପସନ୍ଦର ହସ୍ତତନ୍ତ ବସ୍ତ୍ର

ଭୁବନେଶ୍ୱର,୧୧/୯/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ୟୁନିଟ୍-୩ସ୍ଥିତ ଇଡ଼ିକୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି  ।ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱୋଳନ ପୂର୍ବକ ଏହାର ଶୁଭ ଉଦ୍ଘାଟନ କରିବାସହ କହିଛନ୍ତି, “ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ ।ଏହା ଆମ ଅସ୍ମିତାର ନିଦର୍ଶନ ।ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ସମୟର ଆହ୍ୱାନ ।”ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ନିର୍ଦ୍ଧେଶିକା ତଥା ବୟନିକାର ପରିଚାଳନା ନିର୍ଦ୍ଧେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ରାଜ୍ୟ ତଥା ଦେଶର ସମସ୍ତ ବୟନ କଳାକୁ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଏହିପ୍ରଦର୍ଶନୀ ଏକ ପ୍ରକୃଷ୍ଟମଂଚ । ଉକ୍ରୃଷ୍ଟ ବୟନ କଳାକୁ ବଂଚାଇ ରଖିବା ପାଇଁ ଅଧିକରୁ ଅଧିକ ଗ୍ରାହକ ଆଗେଇ ଆସି ବୁଣାକାରଙ୍କୁ ଉତ୍ସାହିତ କରିବା ଉଚିତ ।”

ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ବୟନ କଳାକୁ ପ୍ରଦର୍ଶିତ କରିବାସହ ବୁଣାକାର ମାନଙ୍କ ଆର୍ଥିକ ଉନ୍ନତିନିମନ୍ତେ ବାଣିଜି୍ୟକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳ ଲକ୍ଷ୍ୟ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଏହାର ପ୍ରାୟୋଜକ ଥିବାବେଳେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍ (ବୟନିକା) ହେଉଛି ଏହାର ଆୟୋଜକ । ୧୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ମେଳା ୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ୯.୩୦ ମିନିଟ୍ ମଧ୍ୟରେ ଲୋକମାନେ ବିଶେଷ ରିହାତି ଦରରେ ମନପସନ୍ଦର ହାତତିଆରି ବସ୍ତ୍ର କିଣିପାରିବେ । ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାରମ୍ପରିକ ଖାଦ୍ୟ ଓ ପିଲାମାନଙ୍କ ପାଇଁ ଖେଳକୁଦର ବ୍ୟବସ୍ଥା କରାଯାଇଛି ।ଚଳିତ ଥର ମୋଟ୍ ୧୭୦ଟି ଷ୍ଟଲ୍ ଖୋଲା ଯାଇଛି ।

ଏହି ପ୍ରଦର୍ଶନୀରେ ଓଡ଼ିଶା ର ବିଭିନ୍ନ ଅଂଚଳର ଲୋକାଦୃତ ବୟନବସ୍ତ୍ର ଯଥା: ସମ୍ବଲପୁରୀ, ସୋନପୁରୀ, ବମକାଇ, ଖଣ୍ଡୁଆପାଟ, ମାଣିଆବନ୍ଧି, ହାବସପୁରୀ ଆଦି ଉପଲବ୍ଧ ହେବ । ଦର୍ଶକଙ୍କ ପ୍ରମୂଖ ଆକର୍ଷଣ ପାଲଟିବ ଅହିଂସାରେ ସମବସ୍ତ୍ର ।ଏହି ପ୍ରଦର୍ଶନୀରେ ଓଡ଼ିଶା ର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ୍, ତାମିଲନାଡ଼ୁର କାଞ୍ଜିବରମ୍ ପାଟଶାଢ଼ୀ, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍ ବସ୍ତ୍ର, କର୍ଣ୍ଣାଟକର ସିଲ୍କ ଶାଢ଼ୀ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।

ଗତବର୍ଷ ମେଳାରେ ଟ ୧୧.୬୦ କୋଟିର ହସ୍ତତନ୍ତ ବସ୍ତ୍ରର ବ୍ୟବସାୟ ହୋଇଥିଲା ବେଳେ ଚଳିତ ବର୍ଷ ୧୫ କୋଟି ଟଙ୍କାର ବ୍ୟବସାୟ ହେବବୋଲି ବୟନିକା ଆଶାରଖିଛି ।ଏହିମେଳାରେ ବହୁସଂଖ୍ୟାରେ ଗ୍ରାହକମାନେ ଆସି ହସ୍ତତନ୍ତ ବସ୍ତ୍ର କ୍ରୟ କରିବା ସହ ବୁଣାକାରଙ୍କୁ ଉତ୍ସାହିତ କରିବା ପାଇଁ ବୟନିକା ପକ୍ଷରୁ ନିବେଦନ କରାଯାଇଛି । ଉଦଘାଟନୀ ସଂଧ୍ୟାରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ମଧୁମିତା ରଥ, ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମେହେରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *