ଜଗତସିଂହପୁର ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜଗତସିଂହପୁର, ୨୧/୬/୨୦୨୪ (ଓଡ଼ିଶା ସମାଚାର)- ଜୁନ ୨୧  ତାରିଖ ମିଳିତ ଜାତିସଂଘ ଦ୍ଵାରା  ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ରେ  ଜିଲ୍ଲା ସ୍ତରୀୟ  ୧୦ ମ ଆନ୍ତର୍ଜାତୀୟ ଯୋଗ ଦିବସ  ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଏବଂ  ଆଇକନିକ ସ୍ଥାନ ଭାବେ ପାରାଦ୍ଵୀପ ର କଳିଙ୍ଗ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ହୋଇଯାଇଛି। ଏବର୍ଷ ର ଥିମ୍ ରହିଛି ‘ଯୋଗ, ସ୍ଵୟଂ ଏବଂ ସମାଜ ପାଇଁ’ ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ପାରାଦ୍ଵୀପ ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଯୋଗ ର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ। ସମ୍ପ୍ରତି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଯୋଗାଭ୍ୟାସ ଶରୀର କୁ ସୁସ୍ଥ ଓ ନିରାମୟ ରଖିବା ସହ କାର୍ଯ୍ୟ ସମ୍ପାଦନ ପାଇଁ ଉର୍ଜା ପ୍ରଦାନ କରିଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ସେହିପରି ଜଗତସିଂହପୁର ସଦର ମହକୁମାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ, ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ, ଜଗତସିଂହପୁର, ଶ୍ରୀ ବିଭୁ ପ୍ରସାଦ ତରାଇ, ଯୋଗ କୁ ପ୍ରାଚୀନ ଭାରତର ପରମ୍ପରା ବୋଲି ଅଭିହିତ କରିଥିଲେ। ଆଜି  ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସମଗ୍ର ବିଶ୍ୱ ତଥା ଭାରତ ବର୍ଷରେ ଏହି ମହାନ ପରମ୍ପରା କୁ ପୁନର୍ଜୀବିତ କରାଯାଇଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଥିଲେ। କିଶୋର କିଶୋରୀ, ଯୁବ ବର୍ଗ ଏବଂ ବରିଷ୍ଠ ନାଗରିକ, ସମସ୍ତେ ଏହି ପାରମ୍ପରିକ ଅଭ୍ୟାସ କୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରି ସୁସ୍ଥ ଓ ନିରାମୟ ରହିବା ପାଇଁ ସାଂସଦ ଶ୍ରୀ ତରାଇ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଯୋଗ ମନୁଷ୍ୟ ର ଆତ୍ମା କୁ ପରମାତ୍ମା ଙ୍କ ସହ ଯୋଡିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ନିୟମିତ ଯୋଗ ଅଭ୍ୟାସ ଶରୀର କୁ ସୁସ୍ଥ ରଖିବା ସହ ମନ ପ୍ରଫୁଲ୍ଲ ରଖିଥାଏ ବୋଲି ଶ୍ରୀ ଦାସ କହିଥିଲେ। ପ୍ରାରମ୍ଭ ରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ମଧ୍ୟ ଉପସ୍ଥିତ ସମସ୍ତଙ୍କୁ ନିଜ ଶାରୀରିକ ସୁସ୍ଥତା ଏବଂ ନିଜକୁ ସୁହାଇଲା ଭଳି ଯୋଗ ଆସନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଯୋଗ ଶିବିର ରେ ଆଜି ପ୍ରାତଃ ୬ ଘଟିକା ସମୟରେ ସମସ୍ତ ଜନସାଧାରଣ, ବିଦ୍ୟାଳୟ ଛାତ୍ରଛାତ୍ରୀ,ସରକାରୀ କର୍ମଚାରୀ, ଛୋଟ ଛୋଟ ପିଲାମାନେ ପହଞ୍ଚି ଯୋଗଶିକ୍ଷା କରିଥିଲେ। ପ୍ରାତଃ 7 ଘଟିକା ରୁ ସାଧାରଣ ଯୋଗ  ନିୟମାବଳୀ ଅନୁସାରେ ପ୍ରଥମେ ପ୍ରାର୍ଥନା ଓ ପରେ ପରେ ବିଭିନ୍ନ ଆସନ ଯେପରି କି ତାଡାସନ,ଭୂଜଙ୍ଗାସନ,ତ୍ରିକୋଣାସନ ଏବଂ ଭ୍ରାମରୀ,କପାଳ ଭାତି,ଅନୁଲୋମ ବିଲୋମ ପରି ପ୍ରାଣାୟାମ ମୁଦ୍ରା ପ୍ରଶିକ୍ଷକ ଙ୍କ ନିର୍ଦ୍ଦେଶନାରେ କରାଯାଇଥିଲା। ଏହି ଅବସରରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ପୌର ପରିଷଦ ର ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋୟୀ, କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବୀଜୟିନୀ ପଟ୍ଟନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ବାର ଆସୋସିଏସନ ର ସମ୍ପାଦକ ଶ୍ରୀ ନରେଶ ଦାସ ,ସାଧାରଣଜନତା, ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରମୁଖ ଉପସ୍ଥିତ ରହି ଯୋଗଶିକ୍ଷା କରିଥିଲେ। ସହକାରୀ ଜିଲ୍ଲାପାଳ କଳ୍ପିତା ଜେନା ମଞ୍ଚ ପରିଚାଳନା କରିଥିଲେ। ଅନ୍ୟପଟେ ପାରାଦ୍ଵୀପ ଠାରେ  ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲିତ ମୋହନ ବେହେରା, ପାରାଦ୍ବୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ଵାଳ , ପାରାଦ୍ଵୀପ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା, ପାରାଦ୍ଵୀପ ସ୍ଥିତ ଶିଳ୍ପ ପ୍ରତିଷ୍ଠାନ ଗୁଡିକର ଅଧିକାରୀ ଓ କର୍ମଚାରୀମାନେ,ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ତଥା ପାରାଦ୍ଵୀପ ର ଜନସାଧାରଣ ଯୋଗ ଦେଇଥିଲେ। ଯୋଗ ଦିବସ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀ  ମାନଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା। ପ୍ରକାଶ ଥାଉକି, ଆଜି ଜିଲ୍ଲା ର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବ୍ଲକ୍ ସ୍ତରରେ ମଧ୍ୟ ଏହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।

Leave a Reply

Your email address will not be published. Required fields are marked *