ଏଣିକି ସ୍କୁଲ୍ ରେ ଡ୍ରିଙ୍କ୍ସ ବ୍ରେକ୍; ଘଣ୍ଟି ବାଜିଲେ ପାଣି ପିଇବେ ପିଲା

ଭୁବନେଶ୍ୱର, ୦୪/୦୪/୨୦୨୪ (ଓଡ଼ିଶା ସମାଚାର)-  ରାଜ୍ୟରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସ୍କୁଲରେ ପାଣି ପିଇବାକୁ ପିଲା ମାନଙ୍କୁ ବିରତି ମିଳିବ। ନିୟମିତ ବ୍ୟବଧାନରେ ଜଳ ବିରତି ଘଣ୍ଟି ବଜାଇବା ପାଇଁ  ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ଏବେ ସକାଳୁଆ ଚାଲୁଥିବାରୁ ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ଘଣ୍ଟି ବାଜିବ। ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏନେଇ ସବୁ ଡିଇଓ, ବିଇଓଙ୍କୁ ଚିଠି କଲା ଗଣଶିକ୍ଷା ବିଭାଗ।

ଅନ୍ୟପଟେ ପ୍ରବଳ ଖରା ପାଇଁ ବଲାଙ୍ଗିର ଜିଲା ପ୍ରଶାସନ ସ୍କୁଲ ସମୟରେ ପରିବର୍ତନ କରିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ବଲାଙ୍ଗିର ଜିଲା ରେ  କାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ପର୍ୟ୍ୟନ୍ତ ସ୍କୁଲ୍ ଚାଲିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ସାଢ଼େ ୧୦ ଯାଏଁ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ରାଜ୍ୟରେ ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ୟ୍ୟନ୍ତ ସ୍କୁଲଗୁଡିକ ଚାଲୁଛି। ସେହିପରି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ମଧ୍ୟ ସକାଳୁଆ ହେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *