କଟକ ସଦର , ୩୦/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ବ୍ଲକରେ ‘ଆମ ଗାଁ ଆମ ବିକାଶ’କାର୍ଯ୍ୟକ୍ରମରେ ଜିଇଓ ଟ୍ୟାଗରେ ଜାଲିଆମାନେ ଚଞ୍ଚକତା କରି ବ୍ୟାପକ ଦୁର୍ନିତୀ କରିଥିବା ଅଭିଯୋଗ ହୋଇଆସୁଛି।ସଵୁ ଅଭିଯୋଗକୁ ରାଜନୈତିକ ଚାପରେ ଆଖିବୁଜି ଦେଇଥିବା ତତ୍କାଳୀନ ଵିଡିଓଙ୍କ ମୁଣ୍ଡ ଉପରେ ଏଥିପାଇଁ ଖଣ୍ଡା ଝୁଲି ରହିଥିଵା ଜଣାପଡିଛି। ଏଥିରେ ପଞ୍ଚାୟତରେ ଥିବା କୁଜି ନେତାମାନେ ବେଶ୍ ହାତଚିକଣ କରିଥିବା ମଧ୍ୟ ଅଭିଯୋଗ ହେଉଛି। ଏହାକୁ ପ୍ରତିହତ କରି ସ୍ୱଚ୍ଛତା ରକ୍ଷା କରିବାକୁ ଜିଇଓ ଟ୍ୟାଗର ଆବଶ୍ୟକତା ଅଛି ଵୋଲି ଗତ ୨୦ ତାରିଖରେ ‘ଓଡିଶା ସମାଚାର’ ରେ ବିସ୍ତୃତ ଖଵରରେ ଦାଵି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ନୂତନ ଵିଡିଓ ରୁମନା ଜାଫ୍ରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟରେ ଜିଇଓ ଟ୍ୟାଗ ବାଧ୍ୟତାମୂଳକ କରିଛନ୍ତି। ଏଥିପାଇଁ ଦାୟିତ୍ଵରେ ଥିବା କ୍ଷେତ୍ର କର୍ମଚାରୀ ମାନଙ୍କୁ କଡାକଡି ନିର୍ଦେଶ ଦିଆଯାଇଥିଵା ଜଣାଯାଇଛି। ଯଦି ଏଥିରେ କିଛି ଚଞ୍ଚକତା ଜଣାପଡେ ତେବେ ସମ୍ପୃକ୍ତ ଅଧିକାରୀ ସେଥିପାଇଁ ଉତ୍ତରଦାୟୀ ରହିବେ ଵୋଲି କୁହାଯାଇଛି। ଏହା ଜଣାପଡିଵା ପରେ କୁଜି ନେତାମାନଙ୍କ ଭାଳେଣି ପଡ଼ିଯାଇଥିବା ବେଳେ ନୂଆ ଯୋଜନାରେ ଲାଗିପଡିଥିଵା ଜଣାପଡିଛି ।