ଲକ୍ଷ୍ମୀପୁର ୧୭ /୬/୨୦୨୪ (ଓଡ଼ିଶା ସମାଚାର)- ରାୟଗଡ଼ା ଜିଲ୍ଲା ନାକ୍ଟି ପଞ୍ଚାୟତର ମେଲେକା ତୁଣ୍ଡା ଓ ହୁଲୁକା ତୁଣ୍ଡା ଗ୍ରାମ ବର୍ଷ ବର୍ଷ ଧରି ସମସ୍ୟା ଘେରରେ ପଡ଼ି ରହିଥିଲେ ମଧ୍ୟ ପ୍ରଶାସନର ନଜର ପଡୁ ନଥିବା ଅଭିଯୋଗ ହୋଇଛି।ଏହି ଦୁଇଟି ଗ୍ରାମ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ କୁ ଲାଗିକି ରହିଛି।ହେଲେ ସରକାରୀ କାର୍ଯ୍ୟକୁ ଛାଡ଼ି ଦେଲେ ବାକି ଅନ୍ୟ କାର୍ଯ୍ୟ ପାଇଁ ବନ୍ଧୁଗାଁ ବ୍ଲକ୍ ଉପରେ ନିର୍ଭର କରନ୍ତି ଗ୍ରାମବାସୀ। ଖାସକରି ସ୍ବାସ୍ଥ୍ୟ ଓ ଗମନା ଗମନ ପାଇଁ ନିଜ ଜିଲ୍ଲା ତରଫରୁ କୌଣସି ସୁବିଧା ନଥିବାରୁ କୋରାପୁଟ ଜିଲ୍ଲା ଉପରେ ବାଧ୍ୟ ହୋଇ ଗ୍ରାମବାସୀଙ୍କୁ ନିର୍ଭର କରିବାକୁ ପଡୁଛି। ବଜାର ସୌଦାଠୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଗାଁ ବ୍ଲକର କୁମ୍ଭାରିପୁଟ ଗ୍ରାମକୁ ଆସିବାକୁ ପଡେ। ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ ଭଳି ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି। ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବା ବେଳେ ସମନ୍ୱିତ ଶିଶୁ ବିକାଶ ଯୋଜନାର କୌଣସି ସୁବିଧା ଗ୍ରାମବାସୀ ପାଉନାହାନ୍ତି। ପାନୀୟ ଜଳର କୌଣସି ସୁବିଧା ନାହିଁ।ବିଦ୍ୟାଳୟ ନଥିବାରୁ ଗ୍ରାମରେ ଥିବା ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କଲାଣି।
ହୁଲୁକା ତୁଣ୍ଡା ଗ୍ରାମରେ ୮୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ମେଲେକା ତୁଣ୍ଡା ଗ୍ରାମରେ ୬୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବସ ବାସ କରନ୍ତି।ଦୁଇଟି ଯାକ ଗ୍ରାମ ମଧ୍ୟରେ ମାତ୍ର ଗୋଟିଏ କିଲୋମିଟର ର ବ୍ୟବଧାନ ରହିଛି। ପଞ୍ଚାୟତ ହେଡ କ୍ୱାଟର୍ ର ଦୂରତା ୩୦ କିଲୋମିଟର୍ ଓ ଚାଲିକି ଗଲେ ୨୦ କିଲୋମିଟର ପଡେ ।ଆଉ ଜିଲ୍ଲା ହେଡ଼ କ୍ୱାଟର କଥା ନକହିବା ଭଲ।ଗ୍ରାମରୁ ରାୟଗଡ଼ା ର ଦୂରତା ୪୨ କିଲୋମିଟର ରହିଛି।ରାସ୍ତା ନଥିବା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଚି।ପିଡିଏସ ଚାଉଳ ପାଇଁ ପାହାଡିଆ ରାସ୍ତାରେ ଜୀବନକୁ ପାଣି ଛଡାଇ ଦୀର୍ଘ ୨୦ କିଲୋମିଟର ଚାଲିକି ଯିବାକୁ ହୁଏ।ଏଥିରେ ତାଙ୍କୁ ପୁରା ଗୋଟିଏ ଦିନ ଲାଗେ।ହେଲେ ହିତାଧିକାରୀ ମାନେ ବର୍ତ୍ତମାନ ତିନି ମାସ ହେଲାଣି ମୁଠାଏ ଚାଉଳ ପାଇନଥିବା ଅଭିଯୋଗ କରିଛନ୍ତି।ତେଣୁ ଜିଲ୍ଲା ପ୍ରଶାସନ ଏହି ଦୁଇଟି ଦୁର୍ଗମ ଅଞ୍ଚଳ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।