ଆଇପିଏଲ ସଟ୍ଟା ବେଟିଂରେ ଉବୁଡୁବୁ ଜୁନାଗଡ଼ ସହର

ଜୁନାଗଡ଼,୨୩/୦୫/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ସଟ୍ଟା ବେଟିଂ ଜାଲରେ ଏବେ ଲୋକେ ଉବୁଡୁବୁ ହେଉଥିବା ଦେଖିବାକୁ ମିଳୁଛି । ରାତାରାତି କୋଟିପତି ହେବା ନିଶାରେ ଲୋକେ ସ୍ୱର୍ବଶାନ୍ତ ହେଉଛନ୍ତି । ଆଇପିଏଲ ଯୋଗୁଁ ଲୋକେ ଘର ଦ୍ୱାର ଜମିବାଡ଼ି ବିକ୍ରି କରିଦେଉଥିବା ନଜରକୁ ଆସୁଛି । ଏହି ରାକେଟ ଚେର କଳାହାଣ୍ଡିରୁ ରାଜ୍ୟ ବାହାରକୁ ଲମ୍ବିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି । କଳାହାଣ୍ଡି ଜିଲ୍ଲାର  ଜୁନାଗଡ଼ ସମେତ ବିଭିନ୍ନ ସହରରେ ପ୍ରତିଦିନ ଆଇପିଏଲ କ୍ରିକେଟ ବେଟିଂ ଦେଖିବାକୁ ମିଳୁଛି । ଆଇପିଏଲର ୨ ପ୍ରତିପକ୍ଷ ଟିମରେ କିଏ ଜିତିବ, କିଏ ହାରିବ ସେନେଇ ଟଙ୍କା ବୋଲି ଲଗାଯାଉଛି । ସେହିଭଳି ପ୍ରତି ଓଭର, ଛକା, ଉଇକେଟ, କ୍ୟାଚ, ଦଳଗତ ରନ ସ୍କୋର, ବ୍ୟାଟ୍ସମାନ ମାନଙ୍କ ବ୍ୟକ୍ତିଗତ ରନ ସ୍କୋରରେ  ଲୋକେ ଟଙ୍କା ଲଗାଉଛନ୍ତି । ଯେଉଁ ଟିମ ରେ ଲୋକେ ଟଙ୍କା ଲଗାଉଛନ୍ତି ୨ ରୁ ୮୦ ଗୁଣ ଟଙ୍କା ମିଳିବ । ଯଦି ସେହି ଟିମ ହାରିଯାଏ  ତେବେ ଟଙ୍କା ଲଗାଇଥିବା ଲୋକ ସ୍ୱର୍ବଶାନ୍ତ ହେଉଛନ୍ତି । ବର୍ତ୍ତମାନ ଛୋଟ ଛୋଟ ବୁକିମାନେ ଲକ୍ଷ ଲକ୍ଷ ଟଙ୍କାର ଖେଳ କରୁଛନ୍ତି ।  ଏହି ବେଟିଂ ଲୋକାଲ ବୁକି ସହ ରାଜ୍ୟ ବାହାର ବୁକି ମାନେ କଣ୍ଟ୍ରୋଲ କରୁଛନ୍ତି । ଫୋନ ମାଧ୍ୟମରେ ଏହି ଖେଳ ଚାଲୁଥିବା ବେଳେ ପୁଲିସ ନିଦାବିଷ୍ଣୁ ସାଜିଛି  । ଗତ କିଛିବର୍ଷ ତଳେ ଜୁନାଗଡ଼ ସହରର ଜଣେ ଯୁବକ ୫ କୋଟି ଟଙ୍କାର ବେଟିଂ ଲଗାଇଥିଲେ । ହାରିଯିବା ପରେ ସେ ବାହାର ରାଜ୍ୟ କୁ ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ପରିବାର ଲୋକେ କୋଲକୋତାରେ ଠାବ କରିଥିଲେ । ବର୍ତ୍ତମାନ ଜିଲ୍ଲାର ଜୁନାଗଡ଼ ଠାରୁ ହିଁ ଏହି ଆଇପିଏଲ ବେଟିଂ ସଟ୍ଟା କଣ୍ଟ୍ରୋଲ ହେଉଥିବା ଜଣାପଡିଛି । ସହରର ସମ୍ଭ୍ରାନ୍ତ ପରିବାରର  ଯୁବକ ମାନେ ଏହି ସଟ୍ଟା ବେଟିଂକୁ କଣ୍ଟ୍ରୋଲ କରୁଥିବା ଅଭିଯୋଗ ହେଉଛି । ଜୁନାଗଡ଼ ପୁଲିସ ହାଇଟେକ ଯୁଗରେ ମଧ୍ୟ ଏହି ବିଷୟରେ କେମିତି ଜାଣି ପାରୁନି କିମ୍ବା ଜାଣି ଚୁପ ରହୁଛି କିମ୍ବା ଏ ବାବଦରେ ଅଜ୍ଞ ଥିବା ଜଣାପଡିଛି । ମୋବାଇଲରେ ଖେଳ ଯୋଗୁଁ ପୁଲିସର ହାତ ମଧ୍ୟ ପାଇପାରୁ ନାହିଁ । ବର୍ତ୍ତମାନ ଏହି ବେଟିଂରେ ଧନୀ ଶ୍ରେଣୀର ଯୁବକମାନେ ଟଙ୍କା ଲଗାଉଛନ୍ତି । ଆଇପିଏଲ ଯୋଗୁଁ ବହୁ ଯୁବକ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ଏନେଇ କଳାହାଣ୍ଡି ପୁଲିସ ପ୍ରଶାସନ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଚଢ଼ାଉ କଲେ ଏହି ରାକେଟ ର ପର୍ଦ୍ଧାଫାସ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *