ପୋଲିଂ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ – – କୋଟିଆରେ ରେକର୍ଡ ମତଦାନ – – ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ
ଭୁବନେଶ୍ୱର, ୧୩/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ର୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ୬୨.୯୬ ପ୍ରତିଶତ ରହିଛି ।
ଓଡ଼ିଶାରେ ସାମଗି୍ରକ ଭାବରେ ଅପୂର୍ବ ଆନନ୍ଦ ଓ ଉତ୍ସାହ ମଧ୍ୟରେ ଗଣତନ୍ତ୍ରର ମହାପର୍ବରେ ମତଦାନ କରି ଜନସାଧାରଣ ସାମିଲ ହୋଇଥିଲେ । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମତଦାତାମାନେ ବହୁ ଉତ୍ସାହର ସହିତ ମତଦାନ କରିଥିବାର ଦେଖାଯାଇଛି । ଏଥିରେ ସମସ୍ତ ଅଞ୍ଚଳର ସମସ୍ତ ବର୍ଗର ମତଦାତାମାନେ ସାମିଲ ହୋଇଥିଲେ । ଆଦିମ ଜନଜାତି ଗୋଷ୍ଠୀର ମତଦାତାମାନେ ମଧ୍ୟ ଅତ୍ୟନ୍ତ ଉତ୍ସାହର ସହ ମତଦାନ କରିଛନ୍ତି । କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ରେକର୍ଡ ମତଦାନ ହୋଇଛି । ଏଠାକାର ୯ଟି ବୁଥ୍ରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୬ ପ୍ରତିଶତ ମତଦାନ ହୋଇଥିଲା ।
ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ଖୁବ୍ ଉତ୍ସାହର ସହ ଲୋକେ ମତଦାନ କରିଥିଲେ । ଏଠାରେ ଥିବା ୨୩ ବୁଥ୍ରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୫.୪୬ ପ୍ରତିଶତ ରହିଥିଲା । ସକାଳୁ ମକ୍ପୋଲ ସମୟରେ ଅଳ୍ପକିଛି ସ୍ଥାନରେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍, ବାଲାଟ ୟୁନିଟ୍ ଓ ଭିଭିପାଟ୍ରେ ତ୍ରୁଟି ଦେଖାଦେଇଥିଲା । ସେ ସମସ୍ତ ୟୁନିଟଗୁଡ଼ିକ ତୁରନ୍ତ ବଦଳାଯାଇଥିଲା ଓ ମତଦାନ ସ୍ୱାଭାବିକ ଭାବରେ ଚାଲିଥିଲା ।
ଏହି ପର୍ଯ୍ୟାୟ ମତଦାନରେ ଆଦର୍ଶ ମତଦାନ କେନ୍ଦ୍ରରେ ଗଣତନ୍ତ୍ରର ମହାପର୍ବର ଖୁବ୍ ସୁନ୍ଦର ଚିତ୍ର ଦେଖିବାକୁ ମିଳିଥିଲା । ସଖି ବୁଥ୍, ସଂପୂର୍ଣ୍ଣ ଯୁବ କର୍ମଚାରୀ ପରିଚାଳିତ ବୁଥ୍, ସଂପୂର୍ଣ୍ଣ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍ ଆଦିରେ ମତଦାତାମାନଙ୍କୁ ସ୍ୱାଗତ କରାଯାଇଥିଲା । ଅନେକ ବୁଥ୍ରେ ସ୍ଥାନୀୟ ଚିତ୍ରକଳା, ଆଦିବାସୀ ଥିମ୍ ଆଦି ଦେଖିବାକୁ ମିଳିଥିଲା । ସମସ୍ତ ବୁଥ୍ରେ ମତଦାତାମାନଙ୍କୁ ମତଦାନର ସୁଖଦ ଅନୁଭୂତି ଦିଆଯିବା ପାଇଁ ପୋଲିଂ କର୍ମଚାରୀମାନେ ପ୍ରୟାସ କରିଥିଲେ । ସମସ୍ତ ବୁଥ୍ରେ ପାନୀୟ ଜଳ, ଛାଇ ଓ ସେଲ୍ଫି ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଥିଲା । ପ୍ରତିଟି ବୁଥ୍ରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଥିଲା । ହ୍ୱିଲ୍ ଚେୟାର ମାଧ୍ୟମରେ ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରମାନଙ୍କୁ ସେ୍ୱଚ୍ଛାସେବୀମାନେ ମତଦାନରେ ସାହାଯ୍ୟ କରିଥିଲେ । ସେମାନଙ୍କୁ ଘରୁ ମତଦାନ କେନ୍ଦ୍ର ଆସିବା ଓ ଯିବା ପାଇଁ ମାଗଣାରେ ଯାନ ଯୋଗାଇ ଦିଆଯାଇଥିଲା । ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ରଖାଯାଇଥିଲା । େୱବ୍କାଷ୍ଟିଂ ଦ୍ୱାରା ପ୍ରାୟ ୬୦ ପ୍ରତିଶତରୁ ଊଦ୍ଧ୍ୱର୍ ବୁଥ୍ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଦୃଷ୍ଟି ରଖାଯାଇଥିଲା । ନିର୍ବାଚନ ପରିଚାଳନା ସମ୍ବନ୍ଧରେ ବିଶେଷ ଜ୍ଞାନ ଥିବା ବରିଷ୍ଠ ଅଧିକାରୀମାନେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍. ତିରୁମାଲା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ େୱବ୍କାଷ୍ଟିଂ ଦ୍ୱାରା ଉକ୍ତ ବୁଥ୍ଗୁଡ଼ିକ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ ।
ସମସ୍ତ ମତଦାନ କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ମତଦାନ ସମାପ୍ତ ହୋଇଥିଲା । ସବୁ ସ୍ଥାନରୁ ପୋଲିଂ ପାର୍ଟିମାନେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛନ୍ତି । ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ୩ଟି ବୁଥ୍ରୁ ପୋଲିଂ ପାର୍ଟିମାନଙ୍କୁ ଏୟାର ଲିଫଫ କରାଯାଇଛି । ଶାନ୍ତିଶୃଙ୍ଖଳା ମଧ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ମତଦାନ ପ୍ରକ୍ରିୟା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପୋଲିଂ ପାର୍ଟି ଓ ସୁରକ୍ଷାକର୍ମୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏହା ସହ ମତଦାନ କରି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଥିବା ପ୍ରତିଟି ମତଦାତା, ବରିଷ୍ଠ ମତଦାତା, ଯୁବ ମତଦାତା ଓ ଭିନ୍ନକ୍ଷମ ମତଦାତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।