ଝଙ୍କଡ଼, ୩୦/୦୪/୨୦୨୪ (ଓଡ଼ିଶା ସମାଚାର)-ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଚନ୍ଦନଯାତ୍ରା ଉପଲକ୍ଷେ, ମନ୍ଦିରକାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତି ବୈଠକ, ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଙ୍କ ନିର୍ଦେଶରେ ଜଗତସିଂହପୁର ଉପ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ସଭାପତିତ୍ବରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ମାସ ୧୦ ତାରିଖ, ପବିତ୍ର ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଏହି ଆକର୍ଷଣୀୟ, ମନୋରମ ଚନ୍ଦନ ଯାତ୍ରା ର ସମସ୍ତ ନୀତି କାନ୍ତି, ପଟୁଆର ଓ ଚାପଖେଳ ଆଦି ଯଥା ବିଧିବିଧାନ ରେ କରାଯିବାକୁ, ଏହି ବୈଠକ ରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ, ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର, ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା, ତିର୍ତ୍ତୋଲ ଥାନା ଆଇ ଆଇ ସି ଅଭିମନ୍ୟୁ ନାୟକ , ତିର୍ତ୍ତୋଲ ବ୍ଲକ ଅତିରିକ୍ତ ବିଡିଓ ସତ୍ୟଜିତ ସ୍ୱାଇଁ ,
ମନ୍ଦିର ପ୍ରାଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଙ୍କ ସମେତ ମାଆଙ୍କ ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡା ଓ ବରିଷ୍ଟ ସେବାୟତ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବିଗତ ଚନ୍ଦନଯାତ୍ରାରେ ବାଣ ଫୁଟା ବିସ୍ଫୋରଣ ଯୋଗୁଁ ଅଘଟଣ ଘଟିଥିବାରୁ, ଚଳିତ ବର୍ଷ ଚନ୍ଦନଯାତ୍ରା ରେ ଆଦୌ ବାଣ ଫୁଟାଯିବନାହିଁ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା।ଏଥର ଚନ୍ଦନ ଯାତ୍ରା ପାଇଁ ଜିଲ୍ଲା କୈବର୍ତ୍ତ ମହାସଂଘ ପକ୍ଷରୁ ଏକ ନୂତନ ଡ଼ଙ୍ଗା ସମର୍ପଣ କରାଯିବ।ଆସନ୍ତା ମେଁ ୩୦ ତାରିଖ ରେ ଲଟାଭଉଁରୀ ଚାପଖେଳ ଓ ୩୧ ତାରିଖ ରେ ହଳଦୀଖେଳ କରାଯାଇ ଚନ୍ଦନ ଯାତ୍ରା ଉଦଯାପିତ ହେବ ବୋଲି, ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପରିଜା ସୂଚନା ପ୍ରଦାନ କରିଅଛନ୍ତି।
ଝଙ୍କଡ଼ ସାରଳାଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ବୈଠକ।
