ଶହୀଦ ଲକ୍ଷ୍ମଣ ନାୟକଙ୍କ ୯୦ତମ ବଳିଦାନ ଦିବସରେ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି

 ଭୁବନେଶ୍ୱର, ୨୯/୦୩/୨୦୨୪ (ଓଡ଼ିଶା ସମାଚାର)-ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୯୦ତମ ବଳିଦାନ ଦିବସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ୍ ଛକସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷକ ସମ୍ବାଦ ସମ୍ପାଦକ ଭାସ୍କର ବେହେରା, ଶାବରୀ ସାଂସ୍କୃତିକ ସଂସଦର ସାଧାରଣ ସମ୍ପାଦକ ନୀଳମାଧବ ଦାସ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଗୋଦାବରୀଶ ମହାପାତ୍ର, ହୃଦୟ ରଂଜନ ଶତପଥି, ଯଶୋବନ୍ତ ଜୈନ, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ଅଶ୍ୱିନୀ ପଟ୍ଟନାୟକ, ସବିତା ଦଳାଇଙ୍କ ସହିତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଗୁଣାବଳୀର ସ୍ମୃତିଚାରଣ କରିଥିଲେ । କୋରାପୁଟ ଜିଲାର ବଣପାହାଡ଼ ଘେରା ଅଂଚଳରେ ଗାନ୍ଧୀଙ୍କ ବାର୍ତା ପ୍ରଚାର କରି ସ୍ୱାଧୀନତା ସଂଗ୍ରାମର ବହ୍ନିକୁ ଶହୀଦ ଲକ୍ଷ୍ମଣ ନାୟକ ପ୍ରଜ୍ୱଳିତ କରିଥିଲେ । ମିଥ୍ୟା ମାମଲାରେ ସରକାର ତାଙ୍କୁ ଗିରଫ କରି ବ୍ରହ୍ମପୁର ଜେଲ୍ ରେ ଫାଶୀ ଦେଇଥିଲେ । ତାଙ୍କ ବଳିଦାନ ଦେଶରେ ସ୍ୱାଧୀନତା ସଂଗ୍ରାମକୁ ଅଧିକ ସକ୍ରିୟ କରିବା ସହ ତାଙ୍କ ତ୍ୟାଗପୂତ ନୀତି, ଆଦର୍ଶ ଯୁଗେ ଯୁଗେ ଛାତ୍ର ଓ ଯୁବ ସମାଜକୁ ଅନୁପ୍ରାଣିତ କରିବ ବୋଲି ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *