ରାଉରକେଲା, ୨୬/୦୩/୨୦୨୪ (ଓଡ଼ିଶା ସମାଚାର)- ଆଜି ସଂପର୍କ ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୪ ଚତୁର୍ଥ ସନ୍ଧ୍ୟାରେ କେ.ଆଇ.ଟି.ଇ ମୁମ୍ବାଇର ନାଟକ ‘ଖୋୟା ହୁଆ ଆଦମୀ’ ସ୍ଥାନୀୟ ମୁ୍ୟଜିକ୍ ସର୍କଲ ଠାରେ ମଂଚସ୍ଥ ହୋଇଯାଇଛି । ନାଟକ ପୂର୍ବର ପାରମ୍ପରିକ ଅନୁଷ୍ଠାନର ସଭା କାର୍ଯ୍ୟକାରୀ ସଭାପତି ଶ୍ରୀ ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ମହାପ୍ରବନ୍ଧକ ଶ୍ରୀ ନାରାୟଣ ପତି ଯୋଗଦାନ କରିଥିଲା ବେଳେ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ କବି, ନାଟ୍ୟ ନିର୍ଦ୍ଧେଶକ ତଥା ଏକତ୍ର ରାଉରକେଲାର ସଭାପତି ଶ୍ରୀ ରାଜୀବ ପାଣି ଯୋଗଦାନ କରିଥିଲେ । ସାଂସ୍କୃତିକ ସଂପାଦିକା ଶ୍ରୀମତୀ ସୁଦେଷ୍ଣାରାଣୀ ରାଉତ ଧନ୍ୟବାଦ ଦେଇଥିଲା ବେଳେ ବରିଷ୍ଠ କଳାକାର ଶ୍ରୀ ଅନିଲ ମଲ୍ଲିକ ମଂଚ ପରିଚାଳନା କରିଥିଲେ । ରାଉରକେଲାର ବରିଷ୍ଠ ଅଭିନେତ୍ରା ଶ୍ରୀ ମୂରଲୀଧର ଦାସଙ୍କୁ ‘ସଂପର୍କ’ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପରେପରେ ରିଶିସ୍ ଦୁବେଙ୍କ ଦ୍ୱାରା ରଚିତ ତଥା ସାହେବ ନିତୀଶଙ୍କ ଦ୍ୱାରା ନିର୍ଦ୍ଧେଶିତ ନାଟକ ‘ଖୋୟା ହୁଆ ଆଦମୀ’ ମଂଚସ୍ଥ ହୋଇଥିଲା ।
ଆଜିର ମଣିଷ ବସ୍ତୁବାଦୀତାର ବଶବର୍ତୀ ହୋଇ ନିଜ ହୃଦୟର ଅମୂଲ୍ୟ ସମ୍ପଦ ମଣିଷ ପଣିଆକୁ ହଜାଇ ଦେଉଛି । ବିଶେଷ କରି ବ୍ୟସ୍ତ ସହରରେ ବାସ କରୁଥିବା ମଣିଷମାନେ ଅର୍ଥ ଓ ପ୍ରତିପତି ପଛରେ ଧାଇଁଧାଇଁ କେତେବେଳେ ନିଜକୁ ନିଜେ ହଜେଇ ଦେଇ ଗୋଟେ ଗୋଟେ ଅମଣିଷ ଯନ୍ତ୍ର ପାଲଟି ଯାଉଛନ୍ତି, ତାହା ସେମାନେ ଜାଣିପାରୁ ନାହାନ୍ତି । ଏହି ସମ୍ବେଦନଶୀଳ କାହାଣୀ ଆଧାରିତ ନାଟକଟି ସାହେବ ନିତିଶ୍ ଙ୍କ ଉଚ୍ଚକୋଟୀର ନିର୍ଦ୍ଧେଶନା, ସମର ମେହେନ୍ଦୀଙ୍କ ସୁମଧୂର ସଂଗୀତ ସଂଯୋଜନା ତଥା ପ୍ରଳୟ ଶତପଥୀଙ୍କ ସାେଙ୍କତିକ ମଂଚସଜ୍ଜା ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା । ଏତଦ୍ ବ୍ୟତୀତ ଅଙ୍କିତା ଦୁବେ, ହିତେଶ ଭାଟିଆ ଓ ଦିବେଶ ପାଟିଲ୍ ଓ ସାହେବ ନିତୀଶଙ୍କ ମନଛୁଆଁ ଅଭିନୟ ଶହଶହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ଆସନ୍ତା କାଲି ଅନ୍ତିମ ରଜନୀରେ ଅଜିତ୍ ଭୁବନେଶ୍ୱରର ନାଟକ ‘ଏକ୍କା’ ମଂଚସ୍ଥ ହେବ ଓ ସକାଳ ୮ଘଟିକାରେ ରଙ୍ଗାରଙ୍ଗ ନାଟ୍ୟ ପଦଯାତ୍ରା ଅନୁଷ୍ଠିତ ହେବ ।