ବରୁଣେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବିଟିସି ପାଗାକୁ ହରାଇ ଗୁଣୁପୁର ଚମ୍ପିୟାନ

ମାହାଙ୍ଗା,୧୮/୦୩/୨୦୨୪ (ଓଡିଶା ସମାଚାର /ଅଭୟ ଜେନା) -କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମୂଳବସନ୍ତ ପଞ୍ଚାୟତରେ ଆୟୋଜିତ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।  କୁନ୍ଦଳ, କୁସୁପୁର, ଗୁଣୁପୁର, ତିଳିଦା, ଲେଖନପୁର, ବରଅଠା, ଲାପଟୁଆଁ ଏବଂ ବିଟିସି ପାଗା ଭଳି ଗ୍ରାମାଞ୍ଚଳର ୮ ଟି ବଛା ବଛା କ୍ରିକେଟ କ୍ଲବ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।  ଫାଇନାଲ ମ୍ୟାଚ ବିଟିସି ବନାମ ବରୁଣେଇ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗୁଣୁପୁର ଗାନ୍ଧୀ ପଡିଆରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି ବିଟିସି କ୍ରିକେଟ ଟିମ ପାଗା ବ୍ୟାଟିଂ ଆରମ୍ଭ କରିଥିଲା । ମାତ୍ର ୮ ଓଭର ମଧ୍ୟରେ ସମସ୍ତ ୱେକେଟ ହରାଇ ବିଟିସି ୧୨୯ ରନ ସଂଗ୍ରହ କରିଥିବା ବେଳେ, ଏହାର ଜବାବରେ ବରୁଣେଇ କ୍ରିକେଟ ଟିମ ଗୁଣୁପୁର ୭ ଓଭର ୨ ଟି ବଲରେ ଧୂଆଁଧାର ବ୍ୟାଟିଂ କରି ୧୩୦ ରନ ସହ ବିଜୟ ହାସଲ କରିବା ଦେଖିବାକୁ ମିଳିଥିଲା ।  ବରୁଣେଇ କ୍ରିକେଟ ଟିମର ମିଲନ ମ୍ୟାନ ଅଫ ଦି’ ସିରିଜ ଘୋଷିତ ହୋଇଥିଲେ ।  ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସମିତିସଭ୍ୟ କବି ପ୍ରଶାନ୍ତ କର ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ମହାନ୍ତି ଯୋଗଦେଇଥିଲେ । ବିଜୟୀ ବରୁଣେଇ ଟିମ କୁ ଚମ୍ପିୟାନ ଟ୍ରଫି ଏବଂ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା ବେଳେ, ରନର୍ସ ଅଫ ବିଟିସି କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।  ଶିକ୍ଷକ ସଲିଳ କୁମାର ଦାସ ପୁରସ୍କାର ପ୍ରଦାନ ଉତ୍ସବକୁ ପରିଚାଳନା କରିଥିଲେ । ଯୁବ ସଂଗଠକ ପ୍ରକାଶ ଦାସ,ସଦାଶିଷ ସାହୁ,ଦିବ୍ୟଜ୍ୟୋତି ନାୟକ, ପ୍ରଫୁଲ ସାହୁ, କାଳନ୍ଦୀ ସାହୁ, ରଞ୍ଜନ ସାହୁ, ସ୍ନେହାଶିଷ ସାମଲ, ଟୁଟୁନ ସାହୁ, ଧୀରେନ୍ଦ୍ର ସାହୁ,ପ୍ରମୁଖ ଖେଳ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଏହି ଟୁର୍ନାମେଣ୍ଟ ରେ ଅମ୍ପେଆର ଭାବେ ପବିତ୍ର ନାୟକ ଏବଂ ବାଦଲ କୁମାର ସାହୁ ଦାୟୀତ୍ୱ ନିର୍ବାହ କରିଥିଲେ । ଗ୍ରାମାଞ୍ଚଳରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଏହି କ୍ରିକେଟ ମ୍ୟାଚରେ ସ୍ଥାନୀୟ ଅଂଚଳର ବହୁ କ୍ରୀଡ଼ାପ୍ରେମୀ ଦର୍ଶକ ଉପସ୍ଥିତ ରହି ମ୍ୟାଚ କୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *